ଶାନ୍ତିରେ ବଞ୍ଚିବାକୁ ଚାଁହୁଛୁ, ଅଦାଲତରେ ଭୋ ଭୋ କାନ୍ଦି କିଛି ଏଭଳି କହିଲେ ପାର୍ଥ-ଅର୍ପିତା

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଜି କୋର୍ଟରେ ସେମାନଙ୍କର ଭର୍ଚୁଆଲ୍ ଶୁଣାଣି ସମୟରେ ଭୋ ଭୋ ହୋଇ କାନ୍ଦିଥିଲେ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ଦୁହେଁ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଅନଲାଇନରେ ଶୁଣାଣି ସମୟରେ ପାର୍ଥ ଚାଟାର୍ଜୀ ବିଚାରପତିଙ୍କୁ କହିଥିଲେ, ‘ମୁଁ ସର୍ବସାଧାରଣରେ ମୋର ଭାବମୂର୍ତ୍ତିକୁ ନେଇ ବହୁତ ଚିନ୍ତିତ। ମୁଁ ଅର୍ଥନୀତିର ଛାତ୍ର ଥିଲି | ମନ୍ତ୍ରୀ ହେବା ପୂର୍ବରୁ ମୁଁ ବିରୋଧୀ ଦଳର ନେତା ଥିଲି। ମୁଁ ରାଜନୀତିର ଶିକାର ହୋଇଛି । ଦୟାକରି ଇଡିକୁ ମୋ ଘର ଏବଂ ମୋ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବାକୁ କୁହନ୍ତୁ | ମୁଁ ଏଲଏଲବି କରିଛି ଏବଂ ମୁଁ ବ୍ରିଟିଶ ଛାତ୍ରବୃତ୍ତି ପାଇଥିଲି | ମୋର ଝିଅ ବ୍ରିଟେନରେ ରହୁଛି | ମୁଁ କିପରି ଏଭଳି ଦୁର୍ନୀତି କରିପାରିବି? ମୁଁ ଶାନ୍ତିରେ ବଞ୍ଚିବାକୁ ଚାହୁଁଛି। ଦୟାକରି ମୋତେ ମୋ ଜୀବନ ବଞ୍ଚିବାକୁ ଦିଅନ୍ତୁ’। ସେହିପରି ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମଧ୍ୟ ବିଚାରପତିଙ୍କ ନିକଟରେ ହାଜର ହୋଇଥିଲେ।

ସେ ବିଚାରପତିଙ୍କୁ କହିଥିଲେ ଯେ, ‘ମୁଁ ପ୍ରକୃତରେ ଜାଣି ନାହିଁ କିପରି ଏବଂ କେଉଁଠାରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୋ ଘରୁ ଏତେ ପରିମାଣର ଟଙ୍କା ଜବତ କଲା’। ଏହା ପରେ ବିଚାରପତି ଅର୍ପିତାଙ୍କୁ ପଚାରିଥିଲେ ଯେ ଇଡି ଟଙ୍କା କେଉଁଠୁ ପାଇଲେ? ଆଉ ଅର୍ପିତା କହିଥିଲେ ଯେ,’ମୋ ବାସଭବନରୁ ଟଙ୍କା ମିଳିଥିଲା’। ବିଚାରପତି ଆହୁରି ପଚାରିଲେ, “ତୁମେ ଘରର ମାଲିକ କି?” ଆଉ ଅର୍ପିତା କହିଥିଲେ ଯେ ସେ ହିଁ ସେହି ଘରର ମାଲିକ। ଏହାପରେ ବିଚାରପତି କହିଥିଲେ ଯେ, ତେବେ ଆଇନ ଅନୁଯାୟୀ ତୁମେ ଉତ୍ତରଦାୟୀ। ଏହାପରେ ଅର୍ପିତା କହିଥିଲେ ଯେ, କିନ୍ତୁ ଉଦ୍ଧାର ହୋଇଥିବା ଟଙ୍କା ବିଷୟରେ ମୋର କୌଣସି ଧାରଣା ନାହିଁ। ମୁଁ ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବାବେଳେ ମୋର ୮୨ ବର୍ଷୀୟ ମା ଅସୁସ୍ଥ ଅଛନ୍ତି | ଇଡି ମୋ ଘରେ କିପରି ଚଢ଼ାଉ କରିପାରିବ? ” ତା’ପରେ ବିଚାରପତି କହିଥିଲେ ଯେ ଯଦି ସେମାନଙ୍କ ଅନୁସନ୍ଧାନରେ ଆବଶ୍ୟକ ପଡେ ତେବେ ଇଡି ଯେକୌଣସି ଘରେ ଚଢ଼ାଉ କରିପାରିବ’।

ଉଲ୍ଲେଖ ଥାଉ କି ଜୁଲାଇ ମାସରେ ଇଡି କୋଲକାତାର ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ପ୍ରାୟ ୫୦ କୋଟି ନଗଦ ଟଙ୍କା, ସୁନା ଏବଂ ଅଳଙ୍କାର ଜବତ କରିଥିଲା |

ସମ୍ବନ୍ଧିତ ଖବର