ପାର୍ଥଙ୍କ ଗୁମର ଖୋଲୁଛନ୍ତି ଅର୍ପିତା: ସବୁ ନେଣଦେଣ ପାର୍ଥ ହିଁ କରୁଥିଲେ

ଅର୍ପିତାଙ୍କ ଫ୍ଲାଟ୍‌ରୁ ୪ଟି ବିଳାସପୂର୍ଣ୍ଣ କାର୍‌ ଗାଏବ, ୧୦ ବର୍ଷ ତଳେ ପାର୍ଥ ଚାଟାର୍ଜୀଙ୍କ ପାଖରେ ଥିଲା ମାତ୍ର ୬୩୦୦ ନଗଦ

କୋଲକାତା: ବହିଷ୍କୃତ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ପାର୍ଥଙ୍କ କଳା କାରନାମାର ଗୁମର ଖୋଲୁଛନ୍ତି। ଇଡି ଜେରା ସମୟରେ ଅର୍ପିତା ପାର୍ଥ କିଭଳି ଟଙ୍କା ଓ ସୁନା ଠୁଳ କରୁଥିଲେ ସେ ବାବଦରେ ବିସ୍ତୃତ ଭାବେ କହିଛନ୍ତି। କୋଲକାତାରେ ତାଙ୍କର ୨ଟି ଆପାର୍ଟମେଣ୍ଟରେ ପାର୍ଥ ହିଁ ଟଙ୍କା ରଖିଥିଲେ ଏବଂ ସେ ଉକ୍ତ ଟଙ୍କାର ପରିମାଣ ସଂପର୍କରେ ଆଦୌ ଜାଣିନଥିଲେ ବୋଲି କହିଛନ୍ତି। ପାର୍ଥ ଟଙ୍କା ରଖବା ପରେ ସର୍ବଦା ଉକ୍ତ ରୁମ୍‌ର ଚାବି ନିଜେ ହିଁ ରଖୁଥିଲେ ଏବଂ ନିଜେ ହିଁ ରୁମ୍‌ ଖୋଲୁଥିଲେ। ଅନ୍ୟ କେହି ସେ ରୁମ୍‌କୁ ଯାଇନାହାନ୍ତି କି କେତେ ଟଙ୍କା ଥିଲା ତାହା କେହି ଜାଣିନାହାନ୍ତି ବୋଲି ଅର୍ପିତା ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି। ପାର୍ଥ ତାଙ୍କ ଫ୍ଲାଟ୍‌ରେ ରଖିଥିବା ଦସ୍ତାବିଜଗୁଡ଼ିକ ସଂପର୍କରେ ମଧ୍ୟ ଅର୍ପିତା ଇଡିକୁ କେତେକ ଗୁରୁତ୍ବପୂର୍ଣ୍ଣ ସୁରାକ୍‌ ଦେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତିଠାରୁ ଆରମ୍ଭ କରି ବଦଳି ଓ ବଦଳି ବାତିଲ, ଠିକା କାର୍ଯ୍ୟ ଏବଂ ବିଭିନ୍ନ ଅନୁଷ୍ଠାନକୁ ସ୍ବୀକୃତି ଦେବା ପାଇଁ ବିପୁଳ ଲାଞ୍ଚ କାରବାର ହେଉଥିଲା ବୋଲି ଅର୍ପିତା କହିଛନ୍ତି।

ଅର୍ପିତାଙ୍କ ଫ୍ଲାଟ୍‌ରୁ ୪ଟି ବିଳାସପୂର୍ଣ୍ଣ କାର୍‌ ଗାଏବ
କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଚାରିଟି ବିଳାସପୂର୍ଣ୍ଣ କାର୍‌ ଡାଇମଣ୍ଡ ସିଟି କମ୍ପ୍ଲେକ୍ସରେ ଥିବା ତାଙ୍କ ଫ୍ଲାଟରୁ ଗାଏବ ହୋଇଯାଇଛି। ଅର୍ପିତାଙ୍କୁ ଗିରଫ ସମୟରେ ଇଡି ଦ୍ୱାରା କେବଳ ଗୋଟିଏ ଧଳା ରଙ୍ଗର ମର୍ସିଡିଜ୍ କାର ଜବତ କରାଯାଇଥିଲା।

ସିସିଟିଭି ଫୁଟେଜ ଆଧାରରେ ଏହି ଗାଡ଼ିଗୁଡ଼ିକ ଖୋଜିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି। ଗାଏବ ହୋଇଯାଇଥବା ଏହି କାରଗୁଡ଼ିକରେ ବିପୁଳ ପରିମାଣର ଟଙ୍କା ଓ ସୁନା ଭର୍ତ୍ତି ହୋଇ ରହିଥିବା ସନ୍ଦେହ କରାଯାଉଛି। ୨୩ ତାରିଖରେ ଅର୍ପିତାଙ୍କୁ ଗିରଫ କରାଯିବା ପରେ ସେହିଦିନ ରାତିରେ ଏକ ଅଡି ଏ୪, ହୋଣ୍ଡା ସିଟି, ହୋଣ୍ଡା ସିଆର୍‌ଭି ଏବଂ ମର୍ସିଡିଜ୍ ବେଞ୍ଜ୍‌ ଆଦି ଚାରିଟି ବିଳାସପୂର୍ଣ୍ଣ କାର୍‌ ନିଖୋଜ ହୋଇଯାଇଛି। ଅର୍ପିତା ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ। କୋଲକାତାର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଦୁଇଟି ଫ୍ଲାଟରୁ ନଗଦ ୫୦ କୋଟିରୁ ଅଧିକ ଟଙ୍କା ଏବଂ ପ୍ରାୟ ୩ କୋଟି ଟଙ୍କାର ସୁନା ଜବତ କରାଯାଇଛି। କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶିକ୍ଷକ ଦୁର୍ନୀତି ମାମଲାର ତଦନ୍ତକୁ ତ୍ବରାନ୍ବିତ କରିଛି। ବେଆଇନ ଭାବେ ଶିକ୍ଷକ ନିଯୁକ୍ତି ଦିଆଯିବା ସମୟରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ସମଗ୍ର ମାମଲା ତାଙ୍କର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା। ଉଭୟ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତାଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛି।

ମୁଁ ଷଡ଼୍‌ଯନ୍ତ୍ରର ଶିକାର ହୋଇଛି: ପାର୍ଥ
କୋଲକାତା: ଶିକ୍ଷକ ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ‌ଗିରଫ ଗିରଫ ହେବାପରେ ତାଙ୍କୁ ଦଳର ସମସ୍ତ ପଦ ଏବଂ ମନ୍ତ୍ରୀ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି। କିନ୍ତୁ ଏହା ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର ବୋଲି ପାର୍ଥ ଚାଟାର୍ଜୀ ଅଭିଯୋଗ କରିଛନ୍ତି। ୬୯ ବର୍ଷୀୟ ପାର୍ଥ ଏବେ ଇଡି ହେପାଜତରେ ଅଛନ୍ତି। କୋଲକାତା ସହରର ଦକ୍ଷିଣ ଉପକଣ୍ଠରେ ଅବସ୍ଥିତ ଜୋକାସ୍ଥିତ ଇଏସଆଇ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ହସ୍ପିଟାଲକୁ ଆସିବା ସମୟରେ ଗାଡ଼ିରୁ ଓହ୍ଲାଇବା ପରେ ତାଙ୍କୁ ସାମ୍ବାଦିକମାନେ ଘେରିଯାଇ ପ୍ରଶ୍ନ ପଚାରିଥିଲେ। ସେହି ସମୟରେ ପାର୍ଥ କହିଥିଲେ, ସେ ଷଡ଼୍‌ଯନ୍ତ୍ରର ଶିକାର ହୋଇଛନ୍ତି ଏବଂ ଏହାର ଜବାବ ସମୟ ଦେବ।

୧୦ ବର୍ଷ ତଳେ ପାର୍ଥ ଚାଟାର୍ଜୀଙ୍କ ପାଖରେ ଥିଲା ମାତ୍ର ୬୩୦୦ ନଗଦ
କୋଲକାତା: ପଶ୍ଚିମବଂଗ ଶିକ୍ଷକ ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଥିବା ବେଳେ ଏହି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିବାରେ ଲାଗିଛି। ଶିକ୍ଷକ ନିଯୁକ୍ତି ସ୍କାମ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ପାର୍ଥଙ୍କ ନିକଟରେ ୧୦ ବର୍ଷ ତଳେ ମାତ୍ର ୬୩୦୦ ଟଙ୍କା ନଗଦ ଥିଲା ବୋଲି ପୁରୁଣା ସତ୍ୟପାଠରୁ ଜଣାପଡ଼ିଛି । ୨୦୧୧ ବିଧାନସଭା ନିର୍ବାଚନ ସମୟରେ ପାର୍ଥ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ଦର୍ଶାଇଥିଲେ ଯେ ତାଙ୍କ ପାଖରେ ମାତ୍ର ୬୩୦୦ ଟଙ୍କା ନଗଦ ଥିଲା। ୨୦୨୧ ବିଧାନସଭା ନିର୍ବାଚନ ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ ମାତ୍ର ୧,୪୮,୬୭୬ ଟଙ୍କା ନଗଦ ଥିବା ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର