‘ମିନି ବ୍ୟାଙ୍କ’ ପାଲଟିଥିଲା ଅର୍ପିତାଙ୍କ ଘର: ‘ପାର୍ଥଙ୍କର ଆଉ ଜଣେ ମହିଳା ବନ୍ଧୁ ଅଛନ୍ତି, ତାଙ୍କ ଘରେ ବି ମନ୍ତ୍ରୀ ଟଙ୍କା ରଖନ୍ତି’

ଅର୍ପିତାଙ୍କ ଆଉ ଏକ ଫ୍ଲାଟ୍‌ରୁ ମିଳିଲା ନଗଦ ୧୫ କୋଟି, ୩ କେଜି ସୁନା

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ କହିଛନ୍ତି ଯେ ପାର୍ଥ ତାଙ୍କ ଘରକୁ ଏକ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ। ପାର୍ଥଙ୍କର ଆଉ ଜଣେ ମହିଳା ବନ୍ଧୁ ଥିବା ଓ ତାଙ୍କ ଘରେ ବି ସେ ଟଙ୍କା ରଖୁଥିବା ଅର୍ପିତା କହିଛନ୍ତି। ତେବେ ଏହି ଦ୍ବିତୀୟ ମହିଳା ବନ୍ଧୁ କିଏ, ସେ ସମ୍ପର୍କରେ ବିଶେଷ ସୂଚନା ପ୍ରକାଶ ପାଇ ନାହିଁ।

ତଦନ୍ତକାରୀ ଦଳ ଅର୍ପିତାଙ୍କ ଘରୁ ୨୧ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲେ। ତାଙ୍କ ଘରେ ଟଙ୍କା ପାହାଡ଼ର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଶନିବାର ଉଭୟ ମନ୍ତ୍ରୀ ପାର୍ଥ ଓ ଅର୍ପିତା ଗିରଫ ହୋଇଥିଲେ। ଅର୍ପିତା କହିଛନ୍ତି ଯେ ତାଙ୍କ ଘରର ଗୋଟିଏ ରୁମ୍‌ରେ ପାର୍ଥ ଟଙ୍କା ରଖୁଥିଲେ ଏବଂ ସେହି ରୁମ୍‌ରେ କେବଳ ପାର୍ଥ ଓ ତାଙ୍କ ଲୋକମାନେ ପ୍ରବେଶ କରୁଥିଲେ। ମନ୍ତ୍ରୀ କୁଆଡ଼େ ତାଙ୍କ ଘରକୁ ପ୍ରତି ସପ୍ତାହରେ ବା ପ୍ରତି ୧୦ ଦିନରେ ଥରେ ଯାଆନ୍ତି। କେବଳ ଅର୍ପିତା ନୁହନ୍ତି ପାର୍ଥଙ୍କର ଆଉ ଜଣେ ମହିଳା ବନ୍ଧୁ ଅଛନ୍ତି, ଯାହାଙ୍କ ଘରକୁ ସେ ନିୟମିତ ବ୍ୟବଧାନରେ ଯାଆନ୍ତି ଏବଂ ତାଙ୍କ ଘରକୁ ବି ପାର୍ଥ ମିନି ବ୍ୟାଙ୍କ ଭାବେ ବ୍ୟବହାର କରନ୍ତି ବୋଲି ଅର୍ପିତା ମୁଖାର୍ଜୀ ତଦନ୍ତକାରୀ ଅଫିସରମାନଙ୍କୁ କହିଛନ୍ତି। ଅର୍ପିତା କହିଛନ୍ତି ଯେ ପାର୍ଥ ତାଙ୍କ ଘରେ କେତେ ଟଙ୍କା ରଖିଥିଲେ ତାହା କେବେ କହି ନ ଥିଲେ କି ସେ ଜାଣି ନ ଥିଲେ।
ଅର୍ପିତା କହିଛନ୍ତି ଯେ ଜଣେ ବଙ୍ଗାଳୀ ଅଭିନେତା ପାର୍ଥଙ୍କ ସହ ତାଙ୍କର ଯୋଗାଯୋଗ କରାଇ ଦେଇଥିଲେ ଏବଂ ଉଭୟ ୨୦୧୬ରୁ ଘନିଷ୍ଠ। ପୁଣି ସେ ସ୍ବୀକାର କରିଛନ୍ତି ଯେ ଶିକ୍ଷକ ନିଯୁକ୍ତି, ବଦଳି, ସ୍କୁଲ୍ ବା କଲେଜକୁ ସ୍ବୀକୃତି ଦେବା ଆଦି ନିମନ୍ତେ ପ୍ରଚୁର ଲାଞ୍ଚ ନିଆଯାଉଥିଲା ଏବଂ ତାଙ୍କ ଘରୁ ଜବତ ହୋଇଥିବା ପାର୍ଥଙ୍କର ସବୁ ଟଙ୍କା ହେଉଛି ସେହି ଲାଞ୍ଚ ଓ କିକ୍‌ବ୍ୟାକ୍‌ ମାଧ୍ୟମରେ ମିଳିଥିବା ଟଙ୍କା। ପାର୍ଥ ଚାଟାର୍ଜୀଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହାଜତକୁ ନିଆଯାଇଛି।

ଅର୍ପିତାଙ୍କ ଆଉ ଏକ ଫ୍ଲାଟ୍‌ରୁ ମିଳିଲା ନଗଦ ୧୫ କୋଟି, ୩ କେଜି ସୁନା

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ଆଜି ପୁଣିଥରେ ଚଢ଼ଉ କରିଛି। ବେଲଘରିଆସ୍ଥିତ ଅର୍ପିତାଙ୍କ ଅନ୍ୟଏକ ଫ୍ଲାଟ୍‌ରୁ ନଗଦ ୧୫ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ କରାଯାଇଛି। ଏହାକୁ ଗଣିବା ପାଇଁ ୫ଟି କାଉଣ୍ଟିଂ ମେସିନ୍‌ ସହ ୫ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଡକାଯାଇଥିଲା। ଏହି ଫ୍ଲାଟରୁ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ମିଳିଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ବେଲଘରିଆରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ଅଛି। ଇଡି ଅଧିକାରୀମାନେ ଆଜି ସେଠାରେ ଚଢ଼ଉ ପାଇଁ ପହଞ୍ଚିଥିଲେ। ହେଲେ ଫ୍ଲାଟର ତାଲା ପଡ଼ିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ଭିତରକୁ ପଶିଥିଲେ। ଘରେ ଏକ ଆଲମିରାରେ ବିପୁଳ ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ପୂର୍ବରୁ ଅର୍ପିତାଙ୍କ ଅନ୍ୟଏକ ଫ୍ଲାଟ୍‌ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

୩୮ ଟିଏମସି ବିଧାୟକ ବିଜେପି ସହ ସମ୍ପର୍କରେ: ମିଥୁନ ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଆଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି। ପଶ୍ଚିମବଙ୍ଗରେ ୩୮ ଜଣ ଟିଏମ୍‌ସି ବିଧା‌ୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସିଧାସଳଖ ସଂପର୍କରେ ଅଛନ୍ତି। ପଶ୍ଚିମବଙ୍ଗରେ ‌ଯେ‌ କୌଣସି ସମୟରେ ମହାରାଷ୍ଟ୍ର ସ୍ଥିତି ଆସିପାରେ। ଆସନ୍ତାକାଲି ବି ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ସ୍ଥିତି ଉପୁଜିପାରେ ବୋଲି ଚକ୍ରବର୍ତ୍ତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମିଥୁନ କହିଛନ୍ତି, ବିଜେପି ୧୮ ରାଜ୍ୟରେ କ୍ଷମତାରେ ଅଛି ଏବଂ ଦଳର ପତାକା ଖୁବ୍‌ ଶୀଘ୍ର ଅନ୍ୟ କିଛି ରାଜ୍ୟରେ ଉଡ଼ିବ। ବିଜେପି ପଶ୍ଚିମବଙ୍ଗ‌ରେ ଏହାର ଲଢ଼େଇ ବନ୍ଦ କରିବ ନାହିଁ। ଯଦି ରାଜ୍ୟରେ ଆଜି ମୁକ୍ତ ଏବଂ ଅବାଧ ନିର୍ବାଚନ ହେବ ତେବେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ ବୋଲି ମିଥୁନ କହିଛନ୍ତି। ଅନ୍ୟପକ୍ଷେ ଟିଏମ୍‌ସି ବିଜେପି ନେତାଙ୍କର ଏହି ଦାବିକୁ ଖଣ୍ଡନ କରିଛି। ଟିଏମ୍‌ସି ସାଂସଦ ଶାନ୍ତନୁ ସେନ କହିଛନ୍ତି, ଲୋକମାନଙ୍କୁ ବୋକା ବନାଇବାପାଇଁ ଏଭଳି ଟିପ୍ପଣୀ ଦିଆଯାଉଛି। ବାସ୍ତବତା ସହ ଏହାର କୌଣସି ସମ୍ପର୍କ ନାହିଁ। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପ୍ରସଙ୍ଗରେ ମିଥୁନ କହିଛନ୍ତି, ଯଦି ସେ ଏଭଳି ବିଶାଳ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ତା’ହେଲେ ବିଶ୍ବର କୌଣସି ଶକ୍ତି ତାଙ୍କୁ ସୁରକ୍ଷା ଦେଇପାରିବନି।

ସମ୍ବନ୍ଧିତ ଖବର