ୟୁକ୍ରେନ୍‌ରୁ ଅଧା ପାଠ ଛାଡ଼ି ଆସିଥିବା ଡାକ୍ତରୀ ଶିକ୍ଷାର୍ଥୀଙ୍କୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜ୍‌ରେ ପଢ଼ାଇବା ବ୍ୟବସ୍ଥା କରାଯାଉ: ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଅଧା ପାଠ ଛାଡ଼ି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ମେଡିକାଲ୍ କଲେଜ୍‌ରେ ନାମ ଲେଖାଇବାର ବ୍ୟବସ୍ଥା କରାଯିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଯଦି ଆବଶ୍ୟକ ହୁଏ, ଏଥପାଇଁ ଥିବା ନିୟମାବଳୀ ଓ ଗାଇଡ୍‌ଲାଇନ୍‌ ପରିବର୍ତ୍ତନ କରାଯାଉ ବୋଲି ସେ କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟଙ୍କ ଏ ସଂକ୍ରାନ୍ତରେ ଆଜି ଲେଖିଥିବା ପତ୍ରରେ ସାଂସଦ ଆଚାର୍ଯ୍ୟ ଲେଖିଛନ୍ତି, ରୁଷ୍‌ ଆକ୍ରମଣରେ ବିଧ୍ବସ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ତଥା ଭାରତୀୟ ଛାତ୍ରମାନଙ୍କୁ ସଫଳତାର ସହ ସ୍ବଦେଶ ଫେରାଇ ଆଣିଥିବାରୁ ଆପଣଙ୍କୁ ବିଶେଷକରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦ ଜଣାଉଛି।

Image Courtesy of ABP Live

ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ମଧ୍ୟ ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। ଅଧାରୁ ପାଠ ଛାଡ଼ି ଆସିଥିବାରୁ ସେମାନଙ୍କ ଭବିଷ୍ୟତ ପାଇଁ ଅଭିଭାବକମାନେ ଚିନ୍ତିତ ଅଛନ୍ତି। ଯୁଦ୍ଧ ପରିସ୍ଥିତିରୁ ଯାହା ଜଣାପଡୁଛି ନିକଟ ଭବିଷ୍ୟତରେ ସେଠାରେ ସ୍ବାଭାବିକ ଅବସ୍ଥା ଫେରିବ ନାହିଁ। ତେଣୁ, ଅଧାରୁ ପାଠ ଛାଡ଼ି ଆସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ବିକଳ୍ପ ବ୍ୟବସ୍ଥା ଭାବେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜ୍‌ରେ ପଢ଼ିବାକୁ ସୁଯୋଗ ଦେବାକୁ ମୋର ବିନମ୍ର ନିବେଦନ। ପ୍ରୟୋଜନ ହେଲେ, ଏଥିପାଇଁ ଥିବା ନିୟମାବଳୀ କୋହଳ କରାଯାଉ।

ସମ୍ବନ୍ଧିତ ଖବର