ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଘରୁ ନ ବାହାରିବାକୁ ବାଧ୍ୟ କରୁଛନ୍ତି ଆତଙ୍କବାଦୀ

ସୋପୁରରେ ଗିରଫ ହେ‌ଲେ ୮ ଲସ୍କର ସହଯୋଗୀ

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଲସ୍କର, ଜୈସ ଏବଂ ହିଜବୁଲ୍‌ ମୁଜାହିଦ୍ଦିନ୍‌ କଶ୍ମୀର ବାସିନ୍ଦାମାନଙ୍କୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ କରାଇ ନଦେବା ପାଇଁ ଚାପ ପ୍ରୟୋଗ କରୁଛନ୍ତି। ଲୋକେ ଘର ଭିତରେ ରହିବାକୁ ଆତଙ୍କବାଦୀମାନେ ବାଧ୍ୟ କରୁଥିବା ଜଣାପଡ଼ିଛି । କିନ୍ତୁ ଲୋକେ ଆତଙ୍କବାଦୀଙ୍କ କଥା ପ୍ରତି ଆଦୌ କର୍ଣ୍ଣପାତ ନକରି ସ୍ବାଭାବିକ ଭାବେ ନିଜ କାର୍ଯ୍ୟ ବଜାୟ ରଖିଛନ୍ତି ବୋଲି ଜମ୍ମୁ କଶ୍ମୀର ଡିଜିପି ଦିଲବାଗ୍‌ ସିଂହ କହିଛନ୍ତି। । ‌ଲୋକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏବଂ ଲୋକମାନଙ୍କୁ ଧମକ ଦେଉଥିବା ପ୍ରାୟ ୮ ଜଣ ଲସ୍କର ଏ ତୋଏବା ସହଯୋଗୀଙ୍କୁ ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲା ସ୍ଥିତ ସୋପୁର୍‌ରୁ ଗିରଫ କରାଯାଇଛି। ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଏହି ସହଯୋଗୀମାନେ ଜମ୍ମୁ କଶ୍ମୀରରେ ପୋଷ୍ଟର ଜାରି କରି ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିଲେ ଏବଂ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନ କରିବାପାଇଁ ଲୋକଙ୍କୁ ବାଧ୍ୟ କରୁଥିଲେ। ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ଗିରଫ ‌ହୋଇଥିବା ୮ ଆତଙ୍କବାଦୀ ସହଯୋଗୀ ହେଉଛନ୍ତି ଏଜାଜ୍‌ ମୀର୍‌, ଓମାର ମୀର୍‌, ତସିଫ୍‌ ନଜର, ଇମ୍‌ତିୟାଜ ନଜର, ଓମାର ଆକବର, ଫୈଜାନ୍‌ ଲତିଫ୍‌ , ଡାନିଶ ହବିବ୍‌ ଏବଂ ‌ ସୌକତ୍‌ ଅହମଦ ମୀର୍‌। ପୋଷ୍ଟର ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟର ସମେତ ଅନ୍ୟ ସାମଗ୍ରୀଗୁଡ଼ିକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର