ହନିଟ୍ରାପ୍‌ର ଶିକାର ବିଏସ୍‌ଏଫ୍‌ ଯବାନ, ପାକିସ୍ତାନକୁ ଦେଉଥିଲେ ଗୋପନୀୟ ତଥ୍ୟ

ଲକ୍ଷ୍ନୌ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କୁ ଭାରତର ଗୋପନୀୟ ସାମରିକ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ବିଏସ୍‌୍‌ଏଫ୍‌୍‌ର ଜଣେ ଯବାନଙ୍କୁ ଆଜି ଉତ୍ତର ପ୍ରଦେଶ ଏଟିଏସ୍‌ ଗିରଫ କରିଛି। ଆଇଏସ୍‌୍‌ଆଇର ଜଣେ ମହିଳା ଏଜେଣ୍ଟ ବିଗତ ୬ ମାସ ମଧ୍ୟରେ ଯବାନ ଅତ୍ୟୁତାନନ୍ଦ ମିଶ୍ରଙ୍କୁ ହନିଟ୍ରାପ୍‌୍‌ରେ ଫସାଇ ଅନେକ ଗୋପନୀୟ ସୂଚନା ହାସଲ କରିଥିବା ତଦନ୍ତରୁ ଜଣାପଡ଼ିଛି। ଉତ୍ତର ପ୍ରଦେଶ ଡିଜିପି ଓମ୍‌୍‌ ପ୍ରକାଶ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ଅଭିଯୁକ୍ତ ଯବାନଙ୍କୁ ନୋଏଡା-ସେକ୍ଟର ୧୮ରୁ ଏଟିଏସ୍‌ ଗିରଫ କରିଛି। ଉକ୍ତ ଯବାନ ଦେଶର ସୁରକ୍ଷା ସମ୍ବନ୍ଧିତ ଏବଂ ବିଏସ୍‌ଏଫ୍‌୍‌ର ବିଭିନ୍ନ ଯୋଜନା ସଂପର୍କରେ ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟକୁ ତଥ୍ୟ ଦେଉଥିଲେ। ଜେରା ବେଳେ ଅଭିଯୁକ୍ତ ଯବାନ ଏହା ସ୍ୱୀକାର କରିଥିବା ଡିଜିପି କହିଛନ୍ତି। ଆଇଏସ୍‌ଆଇ ଏଜେଣ୍ଟ ଯବାନ ଅଚ୍ୟୁତାନନ୍ଦଙ୍କ ସହିତ ଫେସ୍‌ବୁକ୍‌ରେ ସଂପର୍କ ଆରମ୍ଭ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହା ପରେ ଉକ୍ତ ଯବାନ ଭାରତର ସାମରିକ କାର୍ଯ୍ୟକ୍ରମ ସଂକ୍ରାନ୍ତ ବିଭିନ୍ନ ତଥ୍ୟ ଏବଂ ବିଏସ୍‌ଏଫ୍‌୍‌ ଶିବିରଗୁଡ଼ିକର କାର୍ଯ୍ୟକ୍ରମ ନେଇ ଲଗାତାର ସୂଚନା ଦେଇ ଚାଲିଥିଲେ ବୋଲି ଜେରାରୁ ଜଣାପଡ଼ିଛି। ଏବେ ଅଚ୍ୟୁତାନନ୍ଦଙ୍କ ବ୍ୟାଙ୍କ୍‌ ଆକାଉଣ୍ଟର ମଧ୍ୟ ଯାଞ୍ଚ ଚାଲିଛି। ଆଇଏସ୍‌ଆଇଠାରୁ ସେ ଅର୍ଥ ନେଇଥିଲେ କି ନାହିଁ ତାହା ଜାଣିବା ପାଇଁ ପ୍ରୟାସ ଚାଲିଛି ବୋଲି ଡିଜିପି କହିଛନ୍ତି।

ସମ୍ବନ୍ଧିତ ଖବର