ହତ୍ୟା ଅଭିଯୁକ୍ତ ବିଧାୟିକାଙ୍କ ସ୍ୱାମୀକୁ ଗିରଫ କରିବ ନା ନିଜେ ଗିରଫ ହେବ ? ମଧ୍ୟପ୍ରଦେଶ ଡିଜିପିଙ୍କୁ ପଚାରିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଏକ ହତ୍ୟା ଅପରାଧରେ ଅଭିଯୁକ୍ତ ଥିବା ମଧ୍ୟପ୍ରଦେଶର ବିଏସ୍‌ପି ବିଧାୟିକାଙ୍କ ସ୍ୱାମୀକୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ଘଟଣାରେ ସୁପ୍ରିମ୍‌କୋର୍ଟ ମଧ୍ୟପ୍ରଦେଶ ପୁଲିସ୍‌ ଡିଜିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଏଥିସହ ଯଦି ଅପ୍ରେଲ ୫ ତାରିଖ ସୁଦ୍ଧା ବିଧାୟିକାଙ୍କ ହତ୍ୟା ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରା ନଯାଏ ତେବେ ପୁଲିସ୍‌ ଡିଜିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ଚେତାବନୀ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଡି.ଓ୍ଵାଇ.ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏମ.ଆର ଶାହାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ମାମଲାର ଶୁଣାଣି କରିବା ଅବସରରେ କେଉଁ ପରିସ୍ଥିତିରେ, କେତେବେଳେ ଓ କେଉଁ କାରଣରୁ ବିଏସପି ବିଧାୟିକା ରାମବାଇ ସିଂଙ୍କ ହତ୍ୟା ଅଭିଯୁକ୍ତ ସ୍ୱାମୀ ଗୋବିନ୍ଦ ସିଂଙ୍କୁ ଗିରଫ କରିବା ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଏବେ ବଳବତ୍ତର ରହିଛି ନା ନାହିଁ ସେ ସମ୍ପର୍କରେ ମଧ୍ୟ ଲିଖିତ ଭାବେ ଉତ୍ତର ଦାଖଲ କରିବାକୁ ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକଙ୍କୁ (ଡିଜିପି) ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ହତ୍ୟା ଅପରାଧ ପରି ଏକ ଜଘନ୍ୟ ଅପରାଧରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ବିଧାୟିକାଙ୍କ ସ୍ୱାମୀ ରୂପେ ବିବେଚନା କରି ଅପରାଧିକ ଆଇନର ପ୍ରକ୍ରିୟାରୁ ରକ୍ଷା କରିବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌ ପକ୍ଷରୁ ଯେପରି ଉଦ୍ୟମ କରାଯାଉଛି ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର