ନୂଆଦିଲ୍ଲୀ: ବାଂଲାଦେଶରେ  ହିନ୍ଦୁ ବିରୋଧୀ ହିଂସା ନେଇ ଆଜି  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମୁହଁ ଖୋଲିଛନ୍ତି। ବାଂଲାଦେଶରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହୋଇ ଭାରତର ଶରଣରେ ଥିବା ହସିନା କହିଛନ୍ତି  ଚିତ୍ତଗୋଙ୍ଗରେ ଜଣେ ଆଇନଜୀବୀଙ୍କୁ ହତ୍ୟା ଏବଂ ହିନ୍ଦୁ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଗିରଫ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ହିନ୍ଦୁ ସାଧୁଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରି ସେ କହିଛନ୍ତି ଯେ ଏଭଳି ହିଂସା ଓ ଅରାଜକତାବାଦୀ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ।   

Advertisment

ସରକାର ମାନବାଧିକାର ଉଲ୍ଲଂଘନ କଲେ ଦଣ୍ଡିତ ହେବାକୁ ବାଧ୍ୟ

‘ସନାତନ  ସମ୍ପ୍ରଦାୟର ଜଣେ ଶୀର୍ଷ ଧାର୍ମିକ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର। ଚିତ୍ତଗୋଙ୍ଗରେ ଏକ ମନ୍ଦିର ଜାଳି ଦିଆଯାଇଛି। ପୂର୍ବରୁ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ପୀଠ, ଚର୍ଚ୍ଚ, ମଠ ଓ ଘର ଉପରେ ଆକ୍ରମଣ ସହ ଲୁଟ୍ ହୋଇଥିଲା  ଓ ନିଆଁ ଲଗାଇ ଦିଆଯାଇଥିଲା। ଧାର୍ମିକ ସ୍ୱାଧୀନତା ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରାଯିବା ଉଚିତ’ ବୋଲି ହସିନା ତାଙ୍କ ଦଳ ଆୱାମୀ ଲିଗ୍ ଦ୍ୱାରା ପ୍ରକାଶିତ ଏକ ବିବୃତିରେ କହିଛନ୍ତି। ମଙ୍ଗଳବାର ସୁରକ୍ଷା ବାହିନୀ ଓ ଚିନ୍ମୟକୃଷ୍ଣ ଦାସଙ୍କ ଅନୁଗାମୀମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ  ସରକାରୀ ଓକିଲ ସୈଫୁଲ ଇସଲାମଙ୍କ ମୃତ୍ୟୁ ଘଟିଛି। ଦେଶଦ୍ରୋହ ମାମଲାରେ ଦାସଙ୍କୁ ଚିତ୍ତଗୋଙ୍ଗ ଅଦାଲତ ଜାମିନ ନାମଞ୍ଜୁର କରିବା ପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ନ୍ୟାୟ ପାଇଁ ଆହ୍ୱାନ ଦେଇ ହସିନା କହିଛନ୍ତି, ମୁଁ ଏହି ହତ୍ୟାକାଣ୍ଡ ବିରୋଧରେ ଦୃଢ଼ ପ୍ରତିବାଦ କରୁଛି। ଏହି ହତ୍ୟାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜି ବାହାର କରି ଶୀଘ୍ର ଦଣ୍ଡିତ କରିବାକୁ ପଡ଼ିବ।  ହସିନା କହିଛନ୍ତି ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅସାମ୍ବିଧାନିକ ଭାବେ କ୍ଷମତା ଦଖଲ କରିଛି ଏବଂ ମାନବାଧିକାର ରକ୍ଷା କରିବାରେ ବିଫଳ  ହୋଇଛି।  ଜଣେ ଓକିଲ ତାଙ୍କ ବୃତ୍ତିଗତ କର୍ତ୍ତବ୍ୟ ପାଳନ କରିବାକୁ ଯାଇଥିଲେ ଏବଂ ତାଙ୍କୁ ଏଭଳି ଭାବେ ପିଟିପିଟି ହତ୍ୟା କରାଯିବା ଏକ ବର୍ବରତାପୂର୍ଣ୍ଣ କାର୍ଯ୍ୟ । ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିମାନେ  ଆତଙ୍କବାଦୀ ଏବଂ ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ ବୋଲି ହସିନା କହିଛନ୍ତି।    କାର୍ଯ୍ୟାନୁଷ୍ଠାନରେ ବିଫଳ ହେଲେ ସରକାର ମଧ୍ୟ ଦଣ୍ଡିତ ହେବ ବୋଲି  ହସିନା ଚେତାବନୀ ଦେଇଛନ୍ତି।

ହିଂସା ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ଏକଜୁଟ ହେବାକୁ ଶେଖ ହସିନା ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି।  ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ। ବର୍ତ୍ତମାନର କ୍ଷମତା ଦଖଲକାରୀମାନେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ଏବଂ ରାଷ୍ଟ୍ରକୁ ବିପର୍ଯ୍ୟୟ ମୁହାଁ କରିଛନ୍ତି ବୋଲି ହସିନା କହିଛନ୍ତି। ସୂଚନାଯୋଗ୍ୟ, ଚିନ୍ମୟ ଦାସଙ୍କ ଗିରଫଦାରୀ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ଫାଟ ସୃଷ୍ଟି ହୋଇଛି। ଦାସଙ୍କ ଗିରଫଦାରୀକୁ ବିରୋଧ କରି ଏକାଠି ହୋଇଥିବା ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ସରକାର   ନିନ୍ଦା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚିନ୍ମୟକୃଷ୍ଣ ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ଆମେ ଗମ୍ଭୀରତାର ସହ ଗ୍ରହଣ କରୁଛୁ।

ଆମେ ମୋଦୀ ସରକାରଙ୍କ ସହ ଅଛୁ’

ନୂଆଦିଲ୍ଲୀ :  ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫ ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣା‌ରେ ଭାରତୀୟ ନେତାମାନେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।  ମୋଦୀ ସରକାର ଏବଂ ଅନ୍ତର୍ଜାତୀୟ ସଂଗଠନ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପାଇଁ ଦାବି ହୋଇଛି।  ଆଜି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ତାଙ୍କ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସବୁ ପଦକ୍ଷେପକୁ ସମର୍ଥନ କରିବ। ଉକ୍ତ ପ୍ରସଙ୍ଗରେ ରାଜ୍ୟ ବିଧାନସଭାରେ ଉଦବୋଧନ ଦେଇ ମମତା ବାନାର୍ଜୀ କହିଛନ୍ତି, ଆମେ କୌଣସି ଧର୍ମର କିଛି କ୍ଷତି ହେବାକୁ ଚାହୁନ‌ା। ମୁଁ ଏଠାରେ ଇସ୍କନ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛି। ଏହା ଅନ୍ୟ ଏକ ରାଷ୍ଟ୍ରର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଏଦିଗରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଆମେ ଏହି  ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ରହିଛୁ ଏବଂ ଏଥିରେ ଦ୍ବିମତ ନାହିଁ ବୋଲି ମମତା କହିଛନ୍ତି।