ନୂଆଦିଲ୍ଲୀ: କଠୋର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅଧୀନରେ ଏକ ମାମଲାରେ ସେମାନଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ନ୍ୟୁଜ୍‌କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏହାର ଏଚ୍‌ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଗତ ସପ୍ତାହରେ ଦିଲ୍ଲୀ ପୁଲିସ ନ୍ୟୁଜ୍‌କ୍ଲିକ୍ ଓ ଏହାର ସାମ୍ବାଦିକଙ୍କ ସହ ଜଡ଼ିତ ପ୍ରାୟ ୮୮ଟି ସ୍ଥାନରେ ଚଢ଼ାଉ କରି ପୁରକାୟସ୍ଥ ଏବଂ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଭାରତର ସାର୍ବଭୌମତ୍ବକୁ ବ୍ୟାହତ କରିବା ଏବଂ ଦେଶ ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ନ୍ୟୁଜ୍‌କ୍ଲିକ୍ ଚୀନ୍‌ରୁ ବିଦେଶୀ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଶୁଣାଣି ସମୟରେ ପୁରକାୟସ୍ଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ସିବଲ କହିଛନ୍ତି, ଆଜି ପର୍ଯ୍ୟନ୍ତ ଆମକୁ ଗିରଫଦାରିର କାରଣ ଦର୍ଶାଯାଇନାହିଁ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ରିମାଣ୍ଡ ଆବେଦନରେ ଗିରଫଦାରିର କାରଣ ଦର୍ଶାଯାଇଛି।

Advertisment

ସିବଲ ଦୃଢ଼ତାର ସହ ଏହାର ଜବାବ ଦେଇ କହିଛନ୍ତି, ଏସବୁ ଅଭିଯୋଗ ମିଥ୍ୟା। ଚୀନ୍‌ରୁ ଗୋଟିଏ ପଇସା ବି ଆସିନାହିଁ। ଆମେ ଆଜି କେବଳ ଆଇନଗତ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛୁ, ତାହା ହେଉଛି ଗିରଫଦାରିର ଆଧାର ପୂରଣ ହୋଇଛି କି ନାହିଁ। ସେମାନେ ଯେଉଁ ଏକମାତ୍ର ଦସ୍ତାବିଜ ଉପସ୍ଥାପନ କରିଛନ୍ତି ତାହା ହେଉଛି ଗିରଫ ମେମୋ। ଦେଶର ସ୍ଥିରତା ଓ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ଚୀନ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ୭୫ କୋଟି ଟଙ୍କା ଆସିଥିବା ମେହେଟ୍ଟା କହିଛନ୍ତି। ଏହାବ୍ୟତୀତ ସେ ଚୀନର ଜଣେ ବ୍ୟକ୍ତିଙ୍କ ସହ ଇମେଲ୍ ଆଦାନପ୍ରଦାନର ପ୍ରମାଣ ଉପସ୍ଥାପନ କରିଥିଲେ, ଯେଉଁଥିରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର କରି ଆଲୋଚନା ହୋଇଥିଲା। ଏହି ଦାବିର ଜବାବରେ ସିବଲ କଶ୍ମୀର ସମ୍ପର୍କିତ ଯୁକ୍ତିକୁ ଖଣ୍ଡନ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ପୱନ ବଂଶଲଙ୍କ ରାୟ ବିରୋଧରେ କେନ୍ଦ୍ର ସରକାର ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ଚାହୁଛନ୍ତି ବୋଲି ମେହେଟ୍ଟା ହାଇକୋର୍ଟଙ୍କୁ କହିଛନ୍ତି। ଏହି ରାୟରେ ଅଭିଯୁକ୍ତଙ୍କୁ ଲିଖିତ ଭାବେ ଗିରଫର କାରଣ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଥିଲା।