ଗିରଫ ହେବେ ପରଭେଜ୍‌ ମୁସାରଫ

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁସାରଫ(୭୪)ଙ୍କୁ ଗିରଫ କରିବା ସହ ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ପାଇଁ ଆଜି ପେଶଓ୍ଵାର ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୭ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ଘଟଣାରେ ତାଙ୍କୁ ଦୋଷୀ ସାବ୍ୟସ୍ଥ କରାଯାଇଛି। ଆଜି ଶୁଣାଣି ସମୟରେ ପାକିସ୍ତାନ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପରବେଜଙ୍କ ନାମରେ ଥିବା ସମ୍ପତ୍ତି ତାଲିକା ମଧ୍ୟ ପ୍ରଦାନ କରିଛନ୍ତି। ସେପଟେ ଫେଡେରାଲ ତଦନ୍ତକାରୀ ସଂସ୍ଥାକୁ ମୁସାରଫଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ୨୦୦୭ ମସିହାର ଜରୁରୀକାଳୀନ ପରିସ୍ଥିତି ସମୟରେ ପାକିସ୍ତାନ ସୁପ୍ରିମକୋର୍ଟରୁ ବିଚାରପତିଙ୍କୁ ଗୃହବନ୍ଦୀ କରାଯିବା ସହ ଶହେରୁ ଉର୍ଦ୍ଧ୍ୱ ବିଚାରପତିଙ୍କୁ ପଦଚ୍ୟୁତ କରାଯାଇଥିଲା। ମିଳିଥିବା ଖବର ମୁତାବକ, ୨୦୧୪ ମସିହାରେ ମୁସାରଫଙ୍କ ନାମରେ ପ୍ରଥମେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ପରେ ୨୦୧୬ ମାର୍ଚ୍ଚରେ ସେ ଦେଶଛାଡି ଦୁବାଇ ଚାଲିଯାଇଥିଲେ। ସେହିବର୍ଷ ମେ’ ମାସରେ ପାକିସ୍ତାନ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ,ପାକିସ୍ତାନର ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ନାମରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେଜିର ଭୁଟ୍ଟୋଙ୍କ ହତ୍ୟାକାଣ୍ଡରେ ମଧ୍ୟ ମୁସାରଫଙ୍କ ସମ୍ପୃକ୍ତି ରହିଛି। ମୁସାରଫ ପାକିସ୍ତାନରେ ୧୯୯୯ ମସିହାରୁ ୨୦୦୮ ମସିହା ଯାଏଁ ଶାସନ କରିଥିଲେ।

ସମ୍ବନ୍ଧିତ ଖବର