‘ହିନ୍ଦୁ ପାକିସ୍ତାନ’ ବୟାନ, ଥରୁର୍‌ଙ୍କ ବିରୋଧରେ ଗିରଫ ପରୱାନା

କୋଲକାତା: ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନନ୍ତପୁରମ୍‌ ସାଂସଦ ଶଶି ଥରୁର୍‌ଙ୍କ ‘ହିନ୍ଦୁ ପାକିସ୍ତାନ’ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଆଜି ଗିରଫ ପରୱାନା ଜାରି ହୋଇଛି। ଗତବର୍ଷ ଥରୁର୍‌ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଆଇନଜୀବୀ ସୁମିତ ଚୌଧୁରୀଙ୍କ ଦ୍ବାରା ଅପରାଧିକ ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାରେ ଶଶି ଥରୁର୍‌ କୋଲକାତା କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ଥରୁର୍‌ କିମ୍ବା ତାଙ୍କ ପକ୍ଷରୁ କେହି ପ୍ରତିନିଧି କୋର୍ଟରେ ଉପସ୍ଥିତ ନଥିବାରୁ କୋଲକାତା କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଗତବର୍ଷ ଜୁଲାଇରେ ଥରୁର୍‌ ଥିରୁବନନ୍ତପୁରମ୍‌ରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ଯଦି ବିଜେପି ୨୦୧୯ ଲୋକସଭା‌ ନିର୍ବାଚନ ଜିତେ ତେବେ ଏହା ‘ ହିନ୍ଦୁ ପାକିସ୍ତାନ’ ସୃଷ୍ଟି ହେବାଭଳି ପରିସ୍ଥିତି ସୃଷ୍ଟି କରିବ। ବିଜେପି ଏକ ନୂଆ ସମ୍ବିଧାନ ଲେଖିବ ଯାହାଦ୍ବାରା ପାକିସ୍ତାନ ଭଳି ଦେଶ ସୃଷ୍ଟି ହେବ, ଯେଉଁଠାରେ ସଂଖ୍ୟାଲଘୁଙ୍କ ଅଧିକାରକୁ ସମ୍ମାନ ଦିଆଯିବ ନାହିଁ ବୋଲି ଥରୁର୍‌ କହିଥିଲେ।

ସମ୍ବନ୍ଧିତ ଖବର