ସମ୍ବିତ୍‌ ପାତ୍ରଙ୍କ ବିରୋଧରେ ଗିରଫ ପରୱାନା

ଭୋପାଳ: ନିର୍ବାଚନ ଆଚାରସଂହିତ ଉଲ୍ଲଂଘନ ଅଭିଯୋଗରେ ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଚାରସଂହିତା ବଳବତ୍ତର ରହିଥିବା ବେଳେ ପାତ୍ର ଏବଂ ବିଜେପି ନେତା ଏସ୍‌ ଏସ୍‌ ଉପ୍ପଲ୍‌ ରାଜ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହାପରେ ଭୋପାଳର ଏକ କୋର୍ଟ ଉଭୟଙ୍କୁ ସମନ୍‌ ଜାରି କରିଥିଲେ। ଉପ୍ପଲ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହୋଇ ୫,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଳିକାରେ ଜାମିନ ପାଇଥିଲେ। କିନ୍ତୁ ପାତ୍ର କୋର୍ଟରେ ହାଜର ହୋଇନଥିଲେ। ଏ ବାବଦରେ ରାଜ୍ୟ ପୁଲିସ ପକ୍ଷରୁ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଇଥିଲା। ଗୁରୁବାର କୋର୍ଟ ପାତ୍ରଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଅକ୍ଟୋବର ୨୭ରେ ଉଭୟ ବିଜେପି ନେତା ମଧ୍ୟ ପ୍ରଦେଶର ଏମ୍‌ପି ନଗରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହାପରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର