ଗିରଫ ପରେ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜେପି ବିଧାୟକ ଟି ରାଜା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଲେ କୋର୍ଟ। ଏବେ ୧୪ଦିନ ପାଇଁ ସିଂଙ୍କୁ ହାଇଦ୍ରାବାଦର ଚଞ୍ଚଲଗୁଡା କେନ୍ଦ୍ରୀୟ କାରାଗାରରେ ରଖାଯିବ।

ସୋମବାର ଦିନ ବିଜେପି ବିଧାୟକ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକିଙ୍କୁ ସମାଲୋଚନା କରୁଥିବାର ଏକ ଭିଡିଓ ଜାରି କରିଥିଲେ। ସେଥିରେ ‌ସେ ଇସଲାମ ବିରୋଧରେ କହୁଥିବା ସହ ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ସମ୍ପ୍ରଦାୟର ଅନେକ ଲୋକ ରାଜା ସିଂଙ୍କ ଗିରଫ ଦାବିରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ତାଙ୍କ ବିରୋଧରେ ବହୁ ସଂଖ୍ୟକ ମୁସଲମାନ ଯୁବକ ଗତକାଲି ରାତିରେ ହାଇଦ୍ରାବାଦସ୍ଥିତ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ‘ସର ତନ ସେ ଜୁଦା’ର ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଟି ରାଜାଙ୍କୁ ପୁଲିସ ଗିରଫ କରିବା ସହ ବିଜେପି ମଙ୍ଗଳବାର ତାଙ୍କୁ ଦଳରୁ ହଟାଇ ଦେଇଥିଲା। ଦଳରୁ ନିଲମ୍ବିତ କରିବା ସହ ତାଙ୍କୁ କାହିଁକି ବହିଷ୍କାର କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପାର୍ଟି ତାଙ୍କୁ ୧୦ଦିନ ସମୟ ଦେଇଛି।

ଅନ୍ୟପକ୍ଷରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ, ବିଜେପି ମୁସଲମାନ ଏବଂ ପ୍ରଫେଟ ମହମ୍ମଦଙ୍କୁ ଘୃଣା କରେ। ଏହା ବିଜେପିର ସରକାରୀ ନୀତି ବୋଲି ଜଣାପଡୁଛି। ବିଜେପି ବିଧାୟକ ଯେଉଁ ସବୁ ମନ୍ତବ୍ୟ ଦେଇଛନ୍ତି ମୁଁ ଏହାକୁ ନିନ୍ଦା କରୁଛି। ଭଏସ୍ ରେକର୍ଡିଂ ନିଶ୍ଚିତ ଭାବରେ ଏଫଏସଏଲକୁ ପଠାଯିବା ଉଚିତ୍ ଏବଂ ଏହାର ଅନୁସନ୍ଧାନ କରାଯିବା ଉଚିତ୍।

ସମ୍ବନ୍ଧିତ ଖବର