ନୂଆଦିଲ୍ଲୀ : ଗ୍ରେଟର୍ ନୋଏଡ଼ାର ନିମ୍ବସ ସୋସାଇଟିରେ ରହୁଥିବା ଜଣେ ଇଂଜିନିୟରଙ୍କ ମନ୍ଦ ଉଦ୍ଦେଶ୍ୟ ପଦାକୁ ଆସିଛି। ନିଜ ପଡ଼ୋଶୀଙ୍କ ସହିତ ଝଗଡ଼ା ହେବାରୁ ଏହି ଇଂଜିନିୟର ଜଣକ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ରାଷ୍ଟ୍ରପତିଙ୍କ ଝିଅଙ୍କ ନାମରେ ଟୁଇଟର ଆକାଉଣ୍ଟ ଖୋଲି ପଡ଼ୋଶୀଙ୍କ ଘରେ ବେଆଇନ ମଦ ପାର୍ଟି ଚାଲୁଥିବା ଅଭିଯୋଗ ଟୁଇଟ୍ ଜରିଆରେ ପୁଲିସକୁ ଜଣାଇଥିଲେ। ପୁଲିସ ଦ୍ବାରା ଯେତେବେଳେ ଏହି ମାମଲାର ତନାଘନା କରାଗଲା ଏହା ମିଥ୍ୟା ବୋଲି ଜଣାପଡ଼ିଲା। ଟୁଇଟର ଆକାଉଣ୍ଟ ମଧ୍ୟ ଜାଲ ବୋଲି ପୁଲିସ ଜାଣିବାକୁ ପାଇଲା।
ପୁଲିସ ଗତକାଲି ଅଭିଯୁକ୍ତ ଇଂଜିନିୟର ଶୈଳେନ୍ଦ୍ର ଶୁକ୍ଳାକୁ ଗିରଫ କରି ତା ପାଖରୁ ତିନିଟି ମୋବାଇଲ ଫୋନ ଜବତ କରିଛି। ପଡ଼ୋଶୀଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଗ୍ରେଟର୍ ନୋଏଡ଼ା ବିଟା-୨ ଥାନା ପ୍ରଭାରୀ ଅନିଲ କୁମାର ରାଜପୁତଙ୍କ କହିବା ଅନୁସାରେ ଅଭିଯୁକ୍ତ ଇଂଜିନିୟର ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ନାମରେ ଜାଲ ଟୁଇଟର ଆକାଉଣ୍ଟ ଖୋଲିଥିଲା। ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।