ଗିରଫ ଲସ୍କର ଆତଙ୍କବାଦୀର ଗୁଳିରେ ୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଆତଙ୍କବାଦୀର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଅଣାଯାଉଥିବା ବେଳେ ଅଭାବନୀୟ ଘଟଣା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ରାଜ୍‌ ଚାଲିଛି। ଭାରତୀୟ ଯବାନ, ସିଆରପିଏଫ ଯବାନ ଓ ଜମ୍ମୁ କଶ୍ମୀର ପୁଲିସ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ଆତଙ୍କବାଦୀ ଗତିବିଧି କମୁ ନାହିଁ। ଗିରଫ ହୋଇଥିବା ଲସ୍କର-ଏ-ତଏବାର ଆତଙ୍କବାଦୀ ଆବୁ ହଞ୍ଜୁଲା ଓରଫ ନଭିଦ୍‌ ଜାଟ୍‌ ମଙ୍ଗଳବାର ପୁଲିସ ଉପରକୁ ଗୁଳି କରିଛି। ଏହି ଘଟଣାରେ ୨ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆତଙ୍କବାଦୀକୁ ହସ୍ପିଟାଲ ନିଆଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପୁଲିସ ଦ୍ୱାରା ଗିରଫ ହୋଇଥିବା ଲସ୍କର-ଏ-ତଏବାର ଆତଙ୍କବାଦୀ ନଭିଦ୍‌ ଜାଟ୍‌କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେନ୍ଦ୍ରୀୟ ଜେଲ୍‌ରୁ ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲକୁ ନିଆଯାଉଥିଲା। କଡ଼ାସୁରକ୍ଷା ମଧ୍ୟରେ ହସ୍ପିଟାଲକୁ ନିଆଯାଉଥିବା ବେଳେ ନଭିଦ୍‌ ଜଣେ ପୁଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇ ଆଖିବନ୍ଦ କରି ଗୁଳି କରିଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ପୁଲିସଙ୍କ ମୃତ୍ୟୁ ଘଟିଛି।

ଏସ୍‌ଏସ୍‌ପି ଶ୍ରୀନଗର ଇମ୍‌ତିଜାଲ ଇସ୍‌ମାଇଲ୍‌ ପାରି କହିଛନ୍ତି, ଗିରଫ ହୋଇଥିବା ୬ଜଣ ଆତଙ୍କବାଦୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଉଥିଲା। ପୋଲିସ ସାମାନ୍ୟ ଭାବରେ ଅବହେଳା ଥିବାର ସୁଯୋଗ ନେଇ ଆତଙ୍କବାଦୀ ନଭିଦ୍‌ ଏଭଳି ଦୁଃସାହସିକ କାମ କରିବାକୁ ସୁଯୋଗ ପାଇଥିଲା। ନାଭିଦ ଥିଲା ଲସ୍କର-ଏ-ତଏବାର ଓ୍ଵାସିମ୍‌ ଗ୍ରୁପର ସଦସ୍ୟ। ହସ୍ପିଟାଲରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ପରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଥିବା ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଭୟଭୀତ ହୋଇ ଯାଇଛନ୍ତି। ହସ୍‌ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଖବର ପ୍ରଚାରିତ ହେବା ପରେ ଶ୍ରୀନଗରରେ ହାଇ ଆଲର୍ଟ ଜାରି କରାଯାଇଛି। ଜାମ୍ମୁ ଓ କଶ୍ମୀର ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିିଛନ୍ତି।

ସମ୍ବନ୍ଧିତ ଖବର