ଗିରଫ ମନ୍ତ୍ରୀ ନଓ୍ଵାବ ମଲିକ ଅସୁସ୍ଥ; ଚିକିତ୍ସା ପାଇଁ ଜେଜେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ବୁଧବାର ଦିନ ଇଡି ହାତରେ ଗିରଫ ହୋଇଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲିକ ଆଜି ଅପରାହ୍ଣରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ସଂପ୍ରତି ଇଡି ହେପାଜତରେ ଥିବା ନଓ୍ଵାବ ମଲିକଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମିଳିଥିବା ସୂତ୍ରରୁ ପ୍ରକାଶ ଯେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏନସିପି ନେତା ମଲିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା।

ଅନ୍ୟପକ୍ଷରେ ନଓ୍ଵାବ ମଲିକଙ୍କ ଝିଅ ସାନା ଖାନ ଦଳୀୟ କର୍ମୀମାନଙ୍କୁ ସୂଚନା ଦେଇଛନ୍ତି ଯେ ତାଙ୍କ ପିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ ତାଙ୍କ ପିତା ମଲିକ ପେଟ ଯନ୍ତ୍ରଣାରେ ପୀଡିତ ଥିଲେ। ଏନସିପି ନେତାଙ୍କ କାର୍ଯ୍ୟାଳୟ ମଧ୍ୟ ଟ୍ଵିଟ୍‌ କରି କହିଛି ଯେ ଜେଜେ ଡାକ୍ତରଖାନାରେ ଏବେ ମନ୍ତ୍ରୀ ମଲିକଙ୍କ ଚିକିତ୍ସା ଚାଲିଛି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୩ ପର୍ଯ୍ୟନ୍ତ ଇଡି ହେପାଜତରେ ଥିବା ନଓ୍ଵାବ ମଲିକଙ୍କୁ ଶୁକ୍ରବାର ସକାଳେ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଥିଲା। ତେବେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ବୋଲି ଡାକ୍ତରମାନେ କହିଥିଲେ। ମହାରାଷ୍ଟ୍ର ସରକାରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିବା ନଓ୍ଵାବ ମଲିକଙ୍କୁ ଇଡି ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିବା ପରେ ଅଦାଲତଙ୍କ ଆଦେଶକ୍ରମେ ତାଙ୍କୁ ଆଣି ନିଜ ହେପାଜତରେ ରଖି ପଚରାଉଚୁରା ଚଳାଇଥିଲା।

ସମ୍ବନ୍ଧିତ ଖବର