ଭାରତ ଆକ୍ରମଣ ପାଇଁ ପାକିସ୍ତାନରୁ ଅର୍ଥପ୍ରାପ୍ତ ଗିରଫ ଆତଙ୍କବାଦୀର ହୃଦ୍‌ଘାତରେ ମୃତ୍ୟୁ

ରାଜୌରୀ: ଦୁଇ ସପ୍ତାହ ତଳେ ଅନୁପ୍ରବଶେ ଉଦ୍ୟମ ବେଳେ ଧରାପଡ଼ିଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଶନିବାର ଦିନ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ ଓ କଶ୍ମୀରର ରାଜୌରୀ ସେନା ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା।

ତବାରକ୍‌ ହୁସେନ୍‌ ନାମକ ଉକ୍ତ ଆତଙ୍କବାଦୀ ଗତ ମାସରେ ରାଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରା ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା। ସେନା ଗୁଳିଚୋଟରେ ସେ ଆହତ ମଧ୍ୟ ହୋଇଥିଲା। ଜମ୍ମୁ ଓ କଶ୍ମୀରରେ ‘ଫିଦାୟୀନ୍‌’ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ସେନା ତାକୁ ପଠାଇଥିବା କଥା ସେ ଡାକ୍ତରଖାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲା।

Image Courtesy of Republic World

ପାକିସ୍ତାନ ଅଧିକୃତ କଶ୍ମୀର ସବଜ୍‌କୋଟ୍‌ ଗ୍ରାମନିବାସୀ ହୁସେନ୍‌ ମଧ୍ୟ ସ୍ବୀକାର କରିଥିଲା ଯେ, ‘ଇଣ୍ଡିଆନ୍‌ ଆର୍ମି ପୋଷ୍ଟ୍‌’ ଆକ୍ରମଣ କରିବା ପାଇଁ ସେମାନେ ଯୋଜନା କରିଥିଲେ।

ସେ ଆହୁରି ମଧ୍ୟ କହିଥିଲା ଯେ, ୟୁନୁସ୍‌ ଚୌଧରୀ ନାମରେ ‘ପାକିସ୍ତାନ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି’ର ଜଣେ କର୍ଣ୍ଣେଲ୍‌ ତାଙ୍କୁ ୩୦,୦୦୦ ପାକିସ୍ତାନୀ ମୁଦ୍ରା ଦେଇ ପଠାଇଥିଲେ। ସୁଯୋଗ ପାଇବା ମାତ୍ରେ ଦୁଇତିନିଟି ଭାରତୀୟ ଫର୍‌ୱାର୍ଡ ପୋଷ୍ଟ୍‌ ଉପରେ ଆକ୍ରମଣ କରିବା ଲାଗି ସେ ଅନ୍ୟାନ୍ୟ ଆତଙ୍କବାଦୀ ମସୁଧା କରିଥିଲେ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣେଲ୍‌ ୟୁନୁସ୍‌ ଚୌଧରୀ ପଠାଇଥିବା ତବାରକ୍‌ ଓ ତା’ର ଭାଇ ହାରୁନ୍‌ ଅଲି ୨୦୧୬ରେ ମଧ୍ୟ ଉପରୋକ୍ତ ସେକ୍ଟର୍‌ରେ ଭାରତୀୟ ସେନାଦ୍ବାରା ଧରାପଡ଼ିଥିଲେ। କିନ୍ତୁ, ମାନବୀୟ ଦୃଷ୍ଟିକୋଣରୁ ତାଙ୍କୁ ୨୦୧୭ ନଭେମ୍ବରରେ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର