ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି ଯେ ବାଣ ନିଷେଧ କାହିଁକି କେବଳ ଦିଲ୍ଲୀ-ଏନ୍ସିଆର୍ ପାଇଁ ଲାଗୁ ହେବ ଏବଂ ପ୍ରଦୂଷଣର ସମ୍ମୁଖୀନ ହେଉଥିବା ଅନ୍ୟ ସହରଗୁଡ଼ିକ ପାଇଁ କାହିଁକି ଲାଗୁ ନ ହେବ? ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ କହିଛନ୍ତି, ଯଦି ଏନ୍ସିଆର୍ର ନାଗରିକମାନେ ସ୍ୱଚ୍ଛ ବାୟୁ ପାଇବାକୁ ହକଦାର, ତେବେ ଅନ୍ୟ ସହରର ଲୋକମାନେ କାହିଁକି ପାଇବେ ନାହିଁ? ସେ କହିଛନ୍ତି, ଆମେ କେବଳ ଦିଲ୍ଲୀ ପାଇଁ ଗୋଟିଏ ନୀତି କରିପାରିବୁ ନାହିଁ। କାରଣ ସେମାନେ ଦେଶର ସମ୍ଭ୍ରାନ୍ତ ନାଗରିକ। ମୁଁ ଗତ ଶୀତଦିନେ ଅମୃତସରରେ ଥିଲି ଏବଂ ସେଠାରେ ପ୍ରଦୂଷଣ ଦିଲ୍ଲୀ ଅପେକ୍ଷା ଅଧିକ ଖରାପ ଥିଲା। ଯଦି ବାଣ ନିଷେଧ କରିବାକୁ ହୁଏ, ତେବେ ଏହାକୁ ସାରା ଦେଶରେ ନିଷେଧ କରାଯିବା ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ବରିଷ୍ଠ ଆଡଭୋକେଟ୍ଅ ପରାଜିତା ସିଂହ ଏହି ଯୁକ୍ତିକୁ ସମର୍ଥନ କରି ମନ୍ତବ୍ୟ ଦେଇଛନ୍ତି ଯେ, ଆଭିଜାତ୍ୟ ଲୋକମାନେ ନିଜର ଯତ୍ନ ନିଅନ୍ତି। ଯେତେବେଳେ ପ୍ରଦୂଷଣ ହୁଏ ସେମାନେ ଦିଲ୍ଲୀ ବାହାରକୁ ଚାଲିଯାଆନ୍ତି। ବାଣ ଉପରେ ଦେଶବ୍ୟାପୀ ନିଷେଧାଦେଶ ଦାବି କରି ହୋଇଥିବା ଆବେଦନ ଉପରେ ଖଣ୍ଡପୀଠ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)କୁ ନୋଟିସ୍ ଜାରି କରିଛନ୍ତି। ଦୀପାବଳି ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପର୍ଯ୍ୟବେକ୍ଷଣ ଆସିଛି, ଯେତେବେଳେ ଆତସବାଜି ଓ ନଡ଼ା ପୋଡ଼ିବା କାରଣରୁ ଉତ୍ତର ଭାରତର ଅଧିକାଂଶ ଭାଗରେ ବାୟୁର ଗୁଣବତ୍ତା ଖରାପ ହୋଇଯାଏ। ଦିଲ୍ଲୀ ଓ ସମ୍ପ୍ରସାରିତ ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା, କେତେକ ଏନ୍ସିଆର ଉପକଣ୍ଠରେ ସୀମିତ ଅନୁମତି ସହିତ ବିକ୍ରୟ ଓ ସଂରକ୍ଷଣ ଉପରେ କଠୋର ନିୟମ ଏବଂ ଦୀପାବଳି ପୂର୍ବରୁ କର୍ତ୍ତୃପକ୍ଷ ବାଣ ଉପରେ କଟକଣା ଜାରି କରିଥାନ୍ତି। ଯଦି ସର୍ବୋଚ୍ଚ ନ୍ୟାୟାଳୟ ଦେଶବ୍ୟାପୀ ନିଷେଧାଦେଶ ପାଇଁ ଆବେଦନକୁ ଗ୍ରହଣ କରନ୍ତି, ତେବେ ଏନ୍ସିଆର ଭଳି ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ସାରା ଭାରତର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇପାରେ। ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ବାଣ ପ୍ରସ୍ତୁତି, ବିକ୍ରୟ, ସଂରକ୍ଷଣ ଓ ବାଣ ଫୁଟାଇବା ପାଇଁ ଜରିମାନା ହୋଇପାରେ।