ନୂଆଦିଲ୍ଲୀ: ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ନଦୀମ ଅର୍ଶଦ ଇତିହାସ ରଚିଥିଲେ । ଆଉ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଥିଲେ । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ସେ ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ହରାଇ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ନୀରଜ ଟୋକିଓ ଅଲିମ୍ପିକ୍ସ(୨୦୨୦)ରେ ଭାରତକୁ ସ୍ବର୍ଣ୍ଣ ପଦକ ଦେଇଥିଲେ।
ଏବେ ଦୁଇ ଖେଳାଳି ସ୍ବର୍ଣ୍ଣ ଜିତିବା ପରେ ଦେଶର ସରକାର ସେମାନଙ୍କୁ କେତେ ଟଙ୍କା ଉପହାର ଦେଇଥିଲେ ତାହା ସାମ୍ନାକୁ ଆସିଛି। ନଦୀମଙ୍କ କଥା କହିବାକୁ ଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଅଗଷ୍ଟ ୧୪ରେ ଅର୍ଶଦ ନଦୀମଙ୍କୁ ୧୫କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ। କିଛି ଦିନ ପୂର୍ବରୁ ପାକିସ୍ତାନର ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ, ଅର୍ଶଦ ନଦୀମଙ୍କୁ ୧୦କୋଟି ଟଙ୍କା (ପାକିସ୍ତାନୀ ଟଙ୍କା)ର ଚେକ୍ ଦେଇଥିଲେ। ଏହା ବ୍ୟତୀତ ମରିୟମ ମଧ୍ୟ ଏକ ହୋଣ୍ଡା ସିଭିକ୍ କାର ଅର୍ଶଦଙ୍କୁ ଦେଇଥିଲେ ବୋଲି ଜଣାପଡ଼ିଛି।
ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ଅଲି ଶେଖାନି ଅର୍ଶଦ ନଦୀମଙ୍କୁ ଏକ ନୂଆ ସୁଜୁକି ଅଲ୍ଟୋ କାର ଉପହାର ଦେବାକୁ ଘୋଷଣା କରିଛନ୍ତି। ଏହା ସହ ପଞ୍ଜାବ ରାଜ୍ୟପାଳ ସର୍ଦ୍ଦାର ସଲିମ ହାଏଦର ଖାନ ୨୦ଲକ୍ଷ ଟଙ୍କା (ପାକିସ୍ତାନୀ ଟଙ୍କା) ପୁରସ୍କାର ପ୍ରଦାନ କରିଥିବା ବେଳେ ସିନ୍ଧ ମୁଖ୍ୟମନ୍ତ୍ରୀ ନଦୀମଙ୍କୁ ୫କୋଟି ଟଙ୍କା (ପାକିସ୍ତାନ ଟଙ୍କା) ଏବଂ ସିନ୍ଧ ରାଜ୍ୟପାଳ କାମରନ ଟେସ୍ରି ୧୦ଲକ୍ଷ ଟଙ୍କା (ପାକିସ୍ତାନ ଟଙ୍କା) ଦେବାକୁ ଘୋଷଣା କରିଛନ୍ତି। ପାକିସ୍ତାନର ଜଣାଶୁଣା ଗାୟକ ଅଲି ଜାଫର ଏବଂ କ୍ରିକେଟର ଅହମ୍ମଦ ଶେହଜାଦ ୧୦-୧୦ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୁକୁମାର ମେୟର ଇସଲାମ ଶେଖ ଅର୍ଶଦଙ୍କୁ ଏକ ସୁନା ମୁକୁଟରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସ (୨୦୨୦) ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ, ସେତେବେଳେ ତାଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ନୀରଜଙ୍କୁ ପୁରସ୍କାର ରାଶି ଭାବରେ ୧୩କୋଟି ଟଙ୍କା ମିଳିଥିଲା। ସ୍ୱର୍ଣ୍ଣ ଜିତିବା ପାଇଁ ନୀରଜଙ୍କୁ ହରିୟାଣା ସରକାର ୬କୋଟି ଟଙ୍କା ଦେଇଥିଲେ। ଏହା ସହ ତାଙ୍କୁ କ୍ଲାସ୍- ୧ ଚାକିରି ଦେବାକୁ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ପଞ୍ଜାବ ସରକାର ଏବଂ ବାୟିଜୁ ୨-୨ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ବିସିସିଆଇ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମଣିପୁର ସରକାର ୧ କୋଟି ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏକ୍ସୟୁଭି ୭୦୦ କାର ନୀରଜ ଚୋପ୍ରାଙ୍କୁ ଉପହାର ଦେଇଥିଲେ। ଇଣ୍ଡିଗୋ ମଧ୍ୟ ନୀରଜ ଚୋପ୍ରାଙ୍କୁ ଏକ ବିଶେଷ ଉପହାର ଦେଇଥିଲା। କମ୍ପାନି ନୀରଜଙ୍କ ପାଇଁ ଏକ ବର୍ଷର ମାଗଣା ଟିକେଟ୍ ଘୋଷଣା କରିଥିଲା।