କପି ଧରାପଡ଼ିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା; ସତ୍ୟବାମା ବିଶ୍ୱବିଦ୍ୟାଳୟରେ ପୋଡ଼ାଜଳା

ଚେନ୍ନାଇ: କପି କରି ଧରା ପଡ଼ି ଥିବା ଜଣେ ଛାତ୍ରୀ ହଷ୍ଟେଲ୍‌ ରୁମ୍‌ରେ ଆତ୍ମ ହତ୍ୟା କରିବା କାରଣରୁ ବୁଧବାର ରାତିରେ ସତ୍ୟବାମା ବିଶ୍ୱବିଦ୍ୟାଳୟରେ ପ୍ରତିବାଦ ତେଜି ଉଠିଛି। ଓଲ୍‌ଡ୍‌ ମହାବଳୀପୁରମ୍‌ ରୋଡ୍‌ରେ ଅବସ୍ଥିତ ସତ୍ୟବାମା ବିଶ୍ୱବିଦ୍ୟାଳୟରେ ଜଣେ ୧୮ ବର୍ଷୀୟ ପ୍ରଥମ ବାର୍ଷିକ କମ୍ପ୍ୟୁଟର୍‌ ସାଇନ୍‌ସ୍‌ ଛାତ୍ରୀ ପରୀକ୍ଷାରେ କପି କରୁଥିବାବେଳେ ଧରା ପଡ଼ିଯାଇଥିଲେ।

ରାତ୍ର ଭୋଜନ ପରେ ତାଙ୍କ ଆତ୍ମହତ୍ୟା ଖବର କ୍ୟାମ୍ପସ୍‌ରେ ପ୍ରଚାର ହୋଇ ଯାଇଥିଲା। ଫଳରେ କେତେକ ଛାତ୍ର କଲେଜ ଏବଂ ହଷ୍ଟେଲ୍‌ରେ ଆସବାବ୍‌ପତ୍ର ପୋଡ଼ି ପକାଇଥିଲେ। ପୁଲିସ ଘଟଣାର ତଦନ୍ତ କରିଛି। ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ନାମ ଦୁଭ୍ଭୁରୁ ମୋନିକା ରେଡ୍ଡୀ। ତାଙ୍କ ଘର ଆନ୍ଧ୍ରପ୍ରଦେଶରେ। କେମେଷ୍ଟ୍ରି ସେମିଷ୍ଟର୍‌ ପରୀକ୍ଷାରେ ସେ କପି କରି ଧରା ପଡ଼ିଥିଲେ। ପରୀକ୍ଷକ ଏ କଥା ଅଧିକାରୀମାନଙ୍କୁ ଜଣାଇବା ପରେ ତାଙ୍କୁ ପରୀକ୍ଷା ହଲ୍‌ରୁ ବାହାର କରି ଦିଆଯାଇଥିଲା। ମୋନିକା ହଷ୍ଟେଲ୍‌କୁ ଫେରି ଆସିଥିଲେ।

କପି କରିଥିବାରୁ ସେ ଗୋଟିଏ ବର୍ଷ ସକାଶ ଆଉ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ତାଙ୍କ ବାପା ମାଆଙ୍କୁ ଜଣାଇ ଦେଇଥିଲେ।

ତା’ପରେ ସେହି ହଲ୍‌ରେ ବସି ପରୀକ୍ଷା ଦେଉଥିବା ନିଜର ଯାଅାଁଳା ଭାଇ ରାକେଶଙ୍କ ନିକଟକୁ ମୋନିକା ଗୋଟାଏ ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ପରୀକ୍ଷା ସରିବା ପରେ ମେସେଜ୍‌ ଦେଖି ରାକେଶ ହଷ୍ଟେଲ୍‌କୁ ଦୌଡ଼ି ଯାଇଥିଲେ। ସେତେବେଳକୁ ମୋନିକା ଫାଶୀ ଦେଇ ସାରିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। ସେଠାରେ ସେ ମରି ଯାଇଥିବା କଥା ଡାକ୍ତରମାନେ କହିଲେ।

ରାତ୍ରୀ ଭୋଜନ ପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ କୌଣସି ବଶୃଙ୍ଖଳା ହୋଇ ନ ଥିଲା ବୋଲି ବିଶ୍ୱବିଦ୍ୟାଳୟ ଅଧିକାରୀମାନେ କହୁଛନ୍ତି। ରାତିରେ କ୍ୟମ୍ପସ୍‌ରେ ପୋଡ଼ାଜଳାର କାରଣ ସହ ମୋନିକାଙ୍କ ଆତ୍ମହତ୍ୟାର ସିଧାସଳଖ ସମ୍ପର୍କ ଅଛି କି, ନାହିଁ ତାହା ଦତନ୍ତରୁ ଜଣାପଡ଼ିବ ବୋଲି ସେମାନଙ୍କ ମତ।

ସମ୍ବନ୍ଧିତ ଖବର