ଜମ୍ମୁ ଓ କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେବ : ମେହେବୁବା ମୁଫତି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ କେବେ ମଧ୍ୟ ଧାରା ୩୭୦ ଲାଗୁ ହେବ ନାହିଁ ବୋଲି ଗୁଲାମ ନବୀ ଆଜାଦ ଦେଇଥିବା ବୟାନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫତି । ସେ କହିଛନ୍ତି, ଜମ୍ମ ଓ କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେବ ।

ସେ କହିଛନ୍ତି ଯେ, ଧାରା ୩୭୦ ଲାଗୁ ହୋଇପାରିବନି ବୋଲି ଆଜାଦ ଦେଇଥିବା ବୟାନ ତାଙ୍କର ବ୍ୟକ୍ତିଗତ ବୟାନ । କିନ୍ତୁ ଜମ୍ମୁ ଓ କଶ୍ମୀରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଯେ, ରାଜ୍ୟରେ ପୁଣି ଧାରା ୩୭୦ ଲାଗୁ ହେବ ।

କଂଗ୍ରେସ ଛାଡ଼ିବା ପରେ ଆଜାଦ ଜମ୍ମୁରେ ଏକ ରାଜନୈତିକ ସଭା କରି କହିଥିଲେ ଜମ୍ମୁ ଓ କଶ୍ମୀରରେ ଆଉ ଧାରା ୩୭୦ ଲାଗୁ ହେବାର ସମ୍ଭାବନା ନାହିଁ । କାରଣ ଏଥିପାଇଁ ଲୋକସଭାରେ ଅତିକମରେ ୩୫୦ ଭୋଟ ଓ ରାଜ୍ୟ ସଭାରେ ୧୭୫ ଭୋଟ ଆବଶ୍ୟକ । ଏହି ସଂଖ୍ୟା ଭବିଷ୍ୟତରେ କୌଣସି ଦଳ ହାସଲ କରିବାର ସମ୍ଭାବନା ନାହିଁ । ସେ କହିଥିଲେ ଯେ, କ୍ଷମତାକୁ ଆସିଲେ କଂଗ୍ରେସ ଧାରା ୩୭୦କୁ ପ୍ରତ୍ୟାହାର କରିନେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଉଛି, ତାହା ମିଛ ପ୍ରତିଶ୍ରୁତି ।

ଗୁଲାମ ନବୀ ଆଜାଦ ଗତ ଅଗଷ୍ଟ ୨୬ରେ କଂଗ୍ରେସ ଦଳ ଛାଡ଼ିଥିଲେ । ଏହା ପରେ ସେ ନୂଆ ଦଳ ଗଠନ କରିବା ବିଷୟରେ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର