ନୂଆଦିଲ୍ଲୀ : ୨୦୧୫ ମସିହାରୁ ଜାତୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କଳା ଉତ୍ସବ ଆୟୋଜିତ ହୋଇଆସୁଛି। କଳା ଉତ୍ସବ ୨୦୨୨ ଜାନୁଆରି ୩, ୨୦୨୩ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟରୁ କଳା ଉତ୍ସବ ୨୦୨୧ ରେ ମୋଟ ୩୭ଟି ଦଳ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୭୦୩ ଜଣ ଛାତ୍ରଛାତ୍ରୀ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥି ମଧ୍ୟରୁ ୩୫୩ ଜଣ ବାଳିକା ଏବଂ ୩୫୦ ଜଣ ବାଳକ କଳା ଉତ୍ସବ ୨୦୨୨ରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୭ ଦିବ୍ୟାଙ୍ଗ ଅଂଶଗ୍ରହଣକାରୀ ଥିଲେ।
୩ରୁ ୫ ପର୍ଯ୍ୟନ୍ତ ଆୟୋଜିତ କଳା ଉତ୍ସବ ୨୦୨୨ ପ୍ରତିଯୋଗିତାରେ ମୋଟ ୧୦ଟି କଳା, ଯଥା – ଗାୟନ ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ଗାୟନ, ତାଳବାଦ୍ୟ ସଙ୍ଗୀତ, ମଧୁର ବାଦ୍ୟ ସଙ୍ଗୀତ, ଶାସ୍ତ୍ରୀୟ ଲୋକନୃତ୍ୟ, ଏକକ ଅଭିନୟ ଏବଂ ୨ଡି ଏବଂ ୩ଡି ଭିଜୁଆଲ୍ ଆର୍ଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଶନିବାର ଦିନ ଅର୍ଥାତ୍ ଜାନୁଆରି ୭ରେ ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ଆଇଇ)ରେ କଳା ଉତ୍ସବ ୨୦୨୨ର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ଦଳମାନଙ୍କୁ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉଦ୍ବୋଧନ ଦେଇଥିଲେ।
ମାନ୍ୟବର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାଷ ସରକାର କହିଥିଲେ ଯେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟରେ ଥିବା ସୃଜନଶୀଳ ଦକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। କୌଣସି ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏନ୍ସିଇଆର୍ଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ସମ୍ମାନିତ ଅତିଥିମାନଙ୍କୁ ଏବଂ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରତିଯୋଗିତାର ଝଲକକୁ ଆଲୋକିତ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରା ଯାଇଥିଲା।