ନୂଆଦିଲ୍ଲୀ: ‘ଆପୋଲୋ’ ଅଭିଯାନ ବନ୍ଦ ହେବାର ପ୍ରାୟ ୫୦ ବର୍ଷ ପରେ ଆମେରିକାରର ‘ନାସା’ ପୁଣି ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଉଦ୍ୟମ କରୁଛି।  ସେଥିପାଇଁ ଆଜି ‘ନାସା’ କେପ୍‌ କାନେଭେରାଲ୍‌ରୁ ପ୍ରଥମ କରି ଚନ୍ଦ୍ରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଆଟେମିଜ୍‌-୧’ର ସର୍ବ ପ୍ରଥମ ଅଭିଯାନ ଆରମ୍ଭ କରିବ। ଆଜି ସନ୍ଧ୍ୟା ୬ଟା ବେଳେ କେନେଡି ଲଞ୍ଚ୍‌ ପ୍ୟାଡ୍‌ ୩୯ବିରୁ ଉପରୋକ୍ତ ରକେଟ୍‌ ଉତ୍‌କ୍ଷେପଣ କରାଯିବ। ଏହି ରକେଟ୍‌ ୪୨ ଦିନ ମଧ୍ୟରେ ଚନ୍ଦ୍ରକୁ ଯାଇ ପୁଣି ପୃଥିବୀକୁ ଫେରିଆସିବ।

Advertisment

କିନ୍ତୁ, ଏହି ରକେଟ୍‌ରେ ଯାଉଥିବା ମହାକାଶଚାରୀଜଣକ ମଣିଷ ନହନ୍ତି। ସେ ହେଉଛନ୍ତି ପୁରୁଷ ଶରୀର ପରି ଶରୀର ଥିବା ‘କମାଣ୍ଡର୍‌ ମୁନିକିନ୍‌ କ୍ୟାମ୍ପୋସ୍‌’ ନାମରେ ଗୋଟାଏ ‘ମାନିକିନ୍‌’ (ମୂର୍ତ୍ତି)। ଏହି ‘ମାନିକିନ୍‌’ ରକେଟ୍‌ରେ ଥିବା କମାଣ୍ଡର୍‌ ଚେୟାର୍‌ରେ ବସିବା ସହ ଚନ୍ଦ୍ର ଯାତ୍ରା ବେଳେ ‘ଆର୍‌ଟେମିଜ୍’ ମହାକାଶଚାରୀମାନେ ପିନ୍ଧୁଥିବା ପୋଷାକ ପରିଧାନ କରିବ।

publive-image Image Courtesy of India Today

ଏହି ‘ମାନିକିନ୍‌’ରେ ଦୁଇଟି ‘ରେଡିଏସନ୍‌ ସେନ୍‌ସର’ ରହିବା ସହ ସିଟ୍‌ରେ ତା’ର ମୁଣ୍ଡ ରହୁଥିବା ଜାଗାରେ ଗୋଟିଏ ଏବଂ ସିଟ୍‌ ପଛରେ ଅତିରିକ୍ତ ସେନ୍‌ସର୍‌ ଖଞ୍ଜାଯାଇଛି। ଏହି ସେନ୍‌ସର୍‌ ସବୁ ଚନ୍ଦ୍ରଯାତ୍ରାକାଳୀନ ସମସ୍ତ ପ୍ରକାର ତଥ୍ୟାବଳି ରେକର୍ଡ କରିବ। ଏହି ତଥ୍ୟାବଳି ‘ଆର୍ଟେମିଜ୍‌ ୨‘ ଅଭିଯାନ ସମୟରେ ମହାକାଶଚାରୀଙ୍କୁ ନିରାପଦ ରଖିବାରେ ସହାୟକ ହେବ ବୋଲି ‘ନାସା’ କହିଛି।

‘ନାସା’ ଆହୁରି ମଧ୍ୟ କହିଛି କି, କ୍ୟାମ୍ପୋସ୍‌ ସହିତ ଆଉ ଦୁଇଟି ‘ମାନିକିନ୍‌’ ମଧ୍ୟ ଚନ୍ଦ୍ରକୁ ଯାଉଛନ୍ତି। ସେମାନେ ହେଲେ ମହିଳା ଶରୀରଧାରୀ ‘ମାନିକିନ୍’ ଫ୍ୟାଣ୍ଟମ୍‌। ସେଥିରୁ ଇଜ୍ରାଏଲ୍‌ ମହାକାଶ ଏଜେନ୍‌ସି ଜଣଙ୍କର ନାଁ ‘ଜୋହାର୍‌’ ଦେଇଥିବା ବେଳେ ‘ଜର୍ମାନ୍‌ ଏରୋସ୍ପେସ୍‌ ଏଜେନ୍‌ସି’ ଆଉ ଜଣଙ୍କର ନାଁ ଦେଇଛି ‘ହେଗ୍‌ଲା’।