ନୂଆଦିଲ୍ଲୀ : କୋଟିଆ ବିବାଦକୁ ନେଇ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡ଼ିଶା ଦ୍ବାରା ଦାଖଲ ମାମଲାରେ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାର ନିର୍ଦ୍ଧାରିତ ୨୮ ଦିନ ମଧ୍ୟରେ ଜବାବ ଦାଖଲ କରିପାରିନାହାନ୍ତି। ଓଡ଼ିଶା ଦ୍ବାରା ଜାନୁଆରି ୨୦୨୨ରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଏହି ମାମଲା ଦାୟର କରାଯାଇଥିଲା। ସେଥିରେ କୋଟିଆ ଓଡ଼ିଶାର ଅଂଶବିଶେଷ ବୋଲି ଐତିହାସିକ ଦସ୍ତାବିଜ୍‌ ଓ ପ୍ରମାଣକୁ ସଂଲଗ୍ନ କରାଯାଇଥିଲା। ଏହାକୁ ନେଇ ୨୦୨୩ ଫେବ୍ରୁଆରି ୨୮ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ରେଜିଷ୍ଟ୍ରି ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ। ଓଡ଼ିଶା ସରକାରଙ୍କ ଆପତ୍ତି ଓ ଆବେଦନ ଆଧାରରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ କୋଟିଆ ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ୨୮ ଦିନ ସମୟ ଦେଇଥିଲେ। ଏହି ଅବଧିରେ ଅଦାଲତରେ ହାଜିରା ନ ଦେଲେ ଏକତରଫା ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ ନିର୍ଦ୍ଦେଶରେ କହିଥିଲେ।‌ ଉଭୟ ଆନ୍ଧ୍ର ଓ କେନ୍ଦ୍ର ନିର୍ଦ୍ଧାରିତ ସମୟ ଅବଧିରେ ଜବାବ ଦାଖଲ କରିପାରିନଥିବାରୁ ଏହି ମାମଲାର ଶୁଣାଣି ଏବେ ଚାମ୍ବର ଜଜ୍ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବ ଶଙ୍କର ମିଶ୍ର କହିଛନ୍ତି।

Advertisment

ସମ୍ବିଧାନର ଧାରା ୧୩୧ ଅନୁଯାୟୀ ରାଜ୍ୟ ଓ ରାଜ୍ୟ ମଧ୍ୟରେ କିମ୍ବା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ବିବାଦ ଥିଲେ ସେଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ। ତେବେ କୋଟିଆ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଭିନ୍ନ ଅନ୍ୟ କୌଣସି ମାଧ୍ୟମ ନଥିବା ଓଡ଼ିଶା ବିଚାର କରୁଛି। ଏହି ଆଧାରରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡ଼ିଶା ସର୍ବୋଚ୍ଚ ଅଦାଲତରେ ପ୍ରାର୍ଥନା କରିଛି। ସୂଚନାଯୋଗ୍ୟ ଯେ ସମ୍ବିଧାନର ଧାରା ୧୩୧ ଅନୁସାରେ କୋଟିଆ ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ୨୦୦୬ ମସିହାରେ ସୁପ୍ରିମକୋର୍ଟ ମତବ୍ୟକ୍ତ କରିବା ସହିତ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ସହ ସର୍ବୋଚ୍ଚ ଅଦାଲତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ କୋଟିଆରେ ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ଉଦ୍ୟମକୁ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଥିଲେ ଓଡ଼ିଶା ସରକାର। ଓଡିଶା ଦ୍ବାରା ଆନ୍ଧ୍ର ବିରୋଧରେ ଫେବ୍ରୁଆରି ୧୧, ୨୦୨୧ରେ ଅଦାଲତ ଅବମାନନା ମାମଲା ଦାଖଲ କରାଯାଇଥିଲା। ଏଥିରେ ଓଡ଼ିଶାକୁ କୌଣସି ତ୍ବରିତ ଆଶ୍ବସ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରୁ ମିଳିନଥିଲା। ଏହା ପରେ ଓଡ଼ିଶା ଦ୍ବାରା ଆନ୍ଧ୍ର ପ୍ରଦେଶ ବିରୋଧରେ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଏପ୍ରିଲ ୭, ୨୦୨୧ରେ ରୁଜୁ କରାଯାଇଥିଲା। ସୁପ୍ରିମକୋର୍ଟ ଓଡ଼ିଶା ଦ୍ବାରା ଦାଖଲ ଦୁଇ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଅଗଷ୍ଟ ୩୧, ୨୦୨୧ରେ ମାମଲାକୁ ରାଜନୈତିକ ସ୍ତରରେ ସମାଧାନ କରିବା ପାଇଁ ଓଡ଼ିଶା ଓ ଆନ୍ଧ୍ର ପରାମର୍ଶ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟକୁ ମାମଲାର ସମାଧାନକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ କମିଟି ଗଠନ କରାଯାଇ ଏହି ବିବାଦୀୟ ମାମଲାରେ ବିଚାରବିମର୍ଶ ଜାରିରହିଥିବା ‌ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଯାଇଥିଲା।

ଏହି ମାମଲାର ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ ଯେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା (ସମ୍ବିଧାନର ଧାରା ୧୩୧ ଉଚ୍ଛେଦ)ର ଶୁଣାଣି ‌ପ୍ରଥମେ ହେବ। ଅନ୍ୟ ପକ୍ଷରେ ଆନ୍ଧ୍ର ବିରୋଧରେ ରୁଜୁ ଦୁଇ ଅଦାଲତ ଅବମାନନା ମାମଲା ଶୁଣାଣି କେବେ ହେବ ଏବଂ କେଉଁ ବେଞ୍ଚରେ ହେବ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ମୋଟ ଉପରେ କୋଟିଆ ମାମଲାକୁ ନେଇ ଓଡ଼ିଶା ଦ୍ବାରା ତି‌ନିଟି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।