ଧାରା ୩୭୦ ଉଚ୍ଛେଦ ମାମଲା: ୫ ଜଣିଆ ସମ୍ବିଧାନ ପୀଠ ଅକ୍ଟୋବର ୧ରୁ ଶୁଣାଣି କରିବେ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ମାମଲାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ଅନେକ ଆବେଦନ ହୋଇଥିବାରୁ ଏହାର ଶୁଣାଣି ପାଇଁ ଆଜି ୫ ଜଣିଆ ସମ୍ବିଧାନ ପୀଠ ଗଠନ କରାଯାଇଛି । ଜଷ୍ଟିସ୍‌ ଏନ୍‌ ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ୧ ଅକ୍ଟୋବରରୁ ଶୁଣାଣି ଆରମ୍ଭ କରିବେ। ଏହି ପୀଠରେ ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ସଂଜୟ କିଶନ କୌଲ, ଜଷ୍ଟିସ୍‌ ସୁଭାଷ ରେଡ୍ଡି, ଜଷ୍ଟିସ୍‌ ବି.ଆର ଗବଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ।

ଧାରା ୩୭୦ ହଟାଯିବା ଏବଂ କଶ୍ମୀରରେ କଟକଣାକୁ ଚ୍ୟାଲେଂଜ କରି ଅନେକ ମାମଲା ଆସିବା ପରେ ସୁପ୍ରିମ୍‌ କୋର୍ଟ ଏହାର ଶୁଣାଣି ପାଇଁ ସମ୍ବିଧାନ ପୀଠକୁ ପଠାଇଥିଲେ। କୋର୍ଟ କହିଥିଲେ ଯେ ଅକ୍ଟୋବରରେ ସମ୍ବିଧାନ ପୀଠ ଏହାର ଶୁଣାଣି କରିବେ। ଗତ ଶୁଣାଣିରେ କଶ୍ମୀରର ଏକ ପତ୍ରିକାର ସଂପାଦକ ଅଭିଯୋଗ କରିଥିଲେ ଯେ ଶ୍ରୀନଗରରେ ତାଙ୍କ ପତ୍ରିକାର ପ୍ରକାଶନ ହେବାକୁ ଦିଆଯାଉ ନାହିଁ। ତେବେ ସରକାର କହିଥିଲେ ଯେ ଏହି ଖବରକାଗଜ ଜାଣିଶୁଣି ପ୍ରକାଶନ ବନ୍ଦ ରଖିଛି ଏବଂ ଏଥିରେ ସରକାରଙ୍କ କୌଣସି ଭୂମିକା ନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଦେଶ ଜାରି କରି ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ସମାପ୍ତ କରିଦେଇଥିଲେ। ଏହା ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର