ନୂଆଦିଲ୍ଲୀ: ୨୦୧୯ ଅଗଷ୍ଟ ମାସରେ ଭାରତ ସରକାର ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରିବା ପରେ ଏହା ବିରୋଧରେ ଆଗତ ପିଟିସନଗୁଡ଼ିକ ଉପରେ ସୁପ୍ରିମ୍‌କୋର୍ଟ ଶୁଣାଣି କରୁଛନ୍ତି। ବୁଧବାର ଶୁଣାଣିର ଚତୁର୍ଥ ଦିନରେ କୋର୍ଟ କହିଲେ ଯେ, ଏକଦା ଜମ୍ମୁ-କାଶ୍ମୀରରେ ପ୍ରଚଳିତ ଥିବା ସମ୍ବିଧାନ ଭାରତର ସମ୍ବିଧାନକୁ ସଂକୁଚିତ ବା ସୀମିତ କରିପାରିବ ନାହିଁ। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ କହିଲେ ଯେ, ଭାରତର ସମ୍ବିଧାନ ହେଉଛି ୧୯୪୭ରେ ଭାରତ ସହ ଏକୀଭୂତ ଜମ୍ମୁ-କାଶ୍ମୀର ସମେତ ସମଗ୍ର ଦେଶର ଏକମାତ୍ର ସମ୍ବିଧାନ। ଜମ୍ମୁ-କାଶ୍ମୀର ବିଧାନସଭା ସହ ଜମ୍ମୁ-କାଶ୍ମୀର ସମ୍ବିଧାନକୁ କିଛି କ୍ଷମତା ଦିଆଯାଇଥିଲେ ମଧ୍ୟ ଭାରତର ସମ୍ବିଧାନକୁ ତାହା ସୀମିତ କରିପାରିବ ନାହିଁ।

Advertisment

ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ, ୩୭୦ ଧାରା ହଟାଇବାର କ୍ଷମତା ଏକମାତ୍ର କ୍ଷମତା ଜମ୍ମୁ-କାଶ୍ମୀର ସମ୍ବିଧାନ ସଭାର ରହିଥିଲା। ଭାରତର ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ଏକପାଖିଆ ଭାବେ ଏହାକୁ ହଟାଯାଇ ପାରିବ ନାହିଁ। ପ୍ରଧାନବିଚାରପତିଙ୍କ ସମେତ ଅନ୍ୟ ଚାରି ଜଣ ବିଚାରପତି ଜଷ୍ଟିସ୍ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବିଆର୍ ଗୱାଇ ଓ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ସମ୍ବିଧାନ ବେଞ୍ଚ କହିଲେ ଯେ, ଭାରତର ସମ୍ବିଧାନ ହେଉଛି ଏକମାତ୍ର ସମ୍ବିଧାନ ଯାହା ଜମ୍ମୁ-କାଶ୍ମୀର ପାଇଁ ମଧ୍ୟ ପ୍ରଯୁଜ୍ୟ। ଆପଣ ତାକୁ ଜମ୍ମୁ-କାଶ୍ମୀରର ସମ୍ବିଧାନ କହିପାରନ୍ତି, ଯାହା ୧୯୫୭ରେ କ‌ାର୍ଯ୍ୟକାରୀ ହୋଇଥିଲା କିନ୍ତୁ ତାହା ସାମାନ୍ୟ ପରିବର୍ତ୍ତନ ସହିତ ଭାରତର ହିଁ ସମ୍ବିଧାନ ଥିଲା। ୩୭୦ ଧାରା ଥିଲା ସ୍ବଭାବତଃ ପରିବର୍ତ୍ତନଶୀଳ। ସାଧାରଣତଃ ସମ୍ବିଧାନଗୁଡ଼ିକ ସମୟକ୍ରମେ ବଦଳିଥାଏ। ୩୭୦ ଧାରାରେ ହିଁ ଏହି କଥା ଥିଲା ଯେ ଦେଶର ଅନ୍ୟ ସ୍ଥାନ ପାଇଁ ଯାହା ପ୍ରଯୁଜ୍ୟ ଜମ୍ମୁ-କାଶ୍ମୀର ସମ୍ବିଧାନ ତାହାକୁ ଆତ୍ମୀକୃତ କରିବା ଉଚିତ।