ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ସମ୍ବିଧାନର ୩୭୦ ଧାରା ହଟାଯିବା ବିରୋଧରେ ଆଗତ ମାମଲାର ଶୁଣାଣି ଅଜି ଦ୍ବିତୀୟ ଦିନରେ ଚାଲିଥିଲା। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବିଆର୍ ଗୱାଇ ଓ ସୂର୍ଯ୍ୟକାନ୍ତଙ୍କ ସମ୍ବିଧାନ ବେଞ୍ଚ ଆବେଦନକାରୀ ଏନ୍ସିପି ଏମ୍ପି ମହମ୍ମଦ ଆକବର ଲୋନଙ୍କ ତରଫରୁ ନିଯୁକ୍ତ ବରିଷ୍ଠ ଓକିଲ କପିଲଙ୍କ ସିବଲଙ୍କ ଯୁକ୍ତି ଶୁଣିଥିଲେ।
ଶୁଣାଣି ସମୟରେ ସିବଲ ଯୁକ୍ତି କରିଥିଲେ ଯେ, ୩୭୦ ଧାରାକୁ କଦାପି ହଟାଯାଇ ପାରିବ ନାହିଁ କାରଣ ଜମ୍ମୁ-କାଶ୍ମୀରର ଯେଉଁ ସମ୍ବିଧାନ ସଭା (କନ୍ଷ୍ଟିଚୁଏଣ୍ଟ ଆସେମ୍ବ୍ଲି)ର ଏହାକୁ ହଟାଇବା ପାଇଁ ସୁପାରିସ କରିବାର ଅଧିକାର ଥିଲା, ତାକୁ ୧୯୫୭ରେ ଭାଙ୍ଗି ଦିଆଯାଇଛି। ଏହାର ଉତ୍ତରରେ ପ୍ରଧାନବିଚାରପତି ପଚାରିଥିଲେ, ସମ୍ବିଧାନର ଧାରା ୩୬୮ରେ ପାର୍ଲାମେଣ୍ଟକୁ ଯେକୌଣସି ଆଇନ ସଂଶୋଧନ କରିବାର କ୍ଷମତା ଦିଆଯାଇଛି, ପାର୍ଲାମେଣ୍ଟ କ’ଣ ନିଜର ଏହି ସଂଶୋଧନ କ୍ଷମତାର ପ୍ରୟୋଗ କରି ଧାରା ୩୭୦କୁ ଉଚ୍ଛେଦ କରିପାରିବ ନାହିଁ? ଜଷ୍ଟିସ୍ କୌଲ ମଧ୍ୟ ସମାନ ସ୍ବରରେ ସିବଲଙ୍କୁ ପଚାରିଥିଲେ- ଧାରା ୩୭୦କୁ ବଦଳାଇବାକୁ ସମସ୍ତେ ଚାହୁଥିବା ବେଳେ ଏହାକୁ ବଦଳାଇବା ପାଇଁ କ’ଣ କୌଣସି ପଦ୍ଧତି ନାହିଁ? ତା’ହେଲେ ୩୭୦କୁ ହଟାଇବାର ଉପଯୁକ୍ତ ପଦ୍ଧତି କ’ଣ?
ସିବଲ ଏହି ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ନ ଦେଇ କହିଥିଲେ, ୩୭୦ ହଟାଇବାର ଉପଯୁକ୍ତ ପଦ୍ଧତି କ’ଣ ତା’ର ଉତ୍ତର ଦେବା ଶୁଣାଣିର ଉଦ୍ଦେଶ୍ୟ ନୁହେଁ। ସରକାର ୩୭୦କୁ ହଟାଇ ଯାହା କରିଛନ୍ତି, ତାହା ବୈଧ କି ନୁହେଁ ସ୍ଥିର କରିବା ହେଉଛି ଏହାର ଉଦ୍ଦେଶ୍ୟ। ସିବଲଙ୍କ ଉତ୍ତରରେ କୋର୍ଟ ସନ୍ତୁଷ୍ଟ ହୋଇ ନ ଥିଲେ।