ସୁପ୍ରିମ୍‌କୋର୍ଟରେ ୩୭୦ର ସମୀକ୍ଷା : ବିଚାର କରିବେ ୫ ଜଣିଆ ସମ୍ବିଧାନ ପୀଠ

ଅକ୍ଟୋବର ପ୍ରଥମ ସପ୍ତାହରୁ ଶୁଣାଣି ଆରମ୍ଭ , ୟେଚୁରୀଙ୍କୁ କଶ୍ମୀର ଗସ୍ତ ପାଇଁ ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ସଂକ୍ରାନ୍ତ ଧାରା ୩୭୦ର ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ସମୀକ୍ଷା କରିବେ ସୁପ୍ରିମ କୋର୍ଟ। ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆଗତ ଅନେକ ପିଟିସନକୁ ବିଚାର ପାଇଁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ଆଜି କେନ୍ଦ୍ର ଓ କଶ୍ମୀର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ବିଚାର ଏକ ୫ ଜଣିଆ ସମ୍ବିଧାନ ବେଞ୍ଚ କରି‌େବ। ଅକ୍ଟୋବର ପ୍ରଥମ ସପ୍ତାହରୁ ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ୍ ସୂଚନା ଦେଇଛନ୍ତି। ଏହାସହିତ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ ବିରୋଧ କରି ଆଗତ ପିଟିସନ ଉପରେ ମଧ୍ୟ କୋର୍ଟ ବିଚାର କରିବେ।

୩୭୦ ଉଚ୍ଛେଦ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇ ବିଭିନ୍ନ ଦଳ, ସଂଗଠନ ଓ ବ୍ୟକ୍ତି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧ କରିଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ବେଣୁଗୋପାଲ କହିଥିଲେ ଯେ ଧାରା ୩୭୦ ହେଉଛି ଏଭଳି ଏକ ପ୍ରସଙ୍ଗ ଯାହାର ଆନ୍ତର୍ଜାତିକ ଏବଂ ସୀମାପାର ପ୍ରଭାବ ରହିଛି। ତେଣୁ ଏହି ମାମଲାରେ ଆଦେଶ ଦେବା ବେଳେ କିମ୍ବା ମୌଖିକ ଟିପ୍ପଣୀ ଦେବା ସମୟରେ ଆମକୁ ସଂଯମ ରକ୍ଷା କରିବାକୁ ପଡ଼ିବ। ଏହି ପ୍ରସଙ୍ଗରେ କୋର୍ଟ ଭିତରେ ଯାହା ମତ ମନ୍ତବ୍ୟ ଦିଆଯାଏ ତାହା ଜାତିସଂଘର ଦୃଷ୍ଟିକୁ ଆସେ। ତେବେ ମାନ୍ୟବର ବେଞ୍ଚ କହିଥିଲେ ଯେ ‘ଆମେ ଆମ କର୍ତବ୍ୟ ସଂପର୍କରେ ଅବଗତ ଅଛୁ। ଆମେ ଆଦେଶ ଦେଇ ସାରିଛୁ। ଏଥିରେ ଆଉ ପରିବର୍ତନ କରାଯିବ ନାହିଁ।’ ମାମଲାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ବେଞ୍ଚ୍ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ, ଜମ୍ମୁ କଶ୍ମୀରରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜଣେ ମଧ୍ୟସ୍ଥି ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ କୋର୍ଟ ଖାରଜ କରିଦେଇଛନ୍ତି। କଶ୍ମୀର କଟକଣା ସଂକ୍ରାନ୍ତ ଆଉ ଏକ ଆବେଦନର ଶୁଣାଣି କରି କୋର୍ଟ ଆଜି ସିପିଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କୁ କଶ୍ମୀର ଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି, ୟେଚୁରୀ ତାଙ୍କର ଆବେଦନ ମୁତାବକ ତାଙ୍କର ସହଯୋଗୀ ତୋସୁଫ ନରିଗାମୀଙ୍କୁ ଜଣେ ବନ୍ଧୁ ଭାବେ ଭେଟିବା ପାଇଁ ଚାହୁଥିବାରୁ ତାଙ୍କର କାର୍ଯ୍ୟକ୍ରମ କେବଳ ଏତିକିରେ ସୀମିତ ରହିବା ଉଚିତ। ପ୍ରଧାନ ବିଚାରପତି କହିଛନ୍ତି, ୟେଚୁରୀ ଅନ୍ୟ କୌଣସି ଉଦ୍ଦେଶ୍ୟ ନେଇ ଏହି ଗସ୍ତକୁ ବ୍ୟବହାର କରିପାରିବେ ନାହିଁ। କଶ୍ମୀର କଟକଣା ସଂକ୍ରାନ୍ତ ଆଉ ଏକ ଆବେଦନର ବିଚାର କରି ଖଣ୍ଡପୀଠ ଆବେଦନକାରୀ ମହମ୍ମଦ ସୈୟଦଙ୍କୁ ଅନନ୍ତନାଗରେ ରହୁଥିବା ତାଙ୍କ ମାତା-ପିତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଛନ୍ତି। ଏଥିପାଇଁ ତାଙ୍କୁ ପୁଲିସ ସୁରକ୍ଷା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ, ଗଣମାଧ୍ୟମ କଟକଣା ନେଇ ଜମ୍ମୁ କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି କୋର୍ଟ ଏ ବାବଦରେ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପ୍ରଶାସନକୁ ନୋଟିସ୍‌ ଜାରି କରି ସପ୍ତାହକ ମଧ୍ୟରେ ଜବାବ ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର