୩୭୦କୁ କାଟିଲା ୩୭୦ (୩)

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ଧାରା ୩୭୦କୁ ସଂପୂର୍ଣ୍ଣ ଅକାମି କରିଦେବା ପାଇଁ କେନ୍ଦ୍ର ସରକାର ଧାରା ୩୭୦କୁ ହିଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ବ୍ୟବହାର କରିଛନ୍ତି। ଏହି ଧାରାକୁ ଅଚଳ କରିଦେବା ପାଇଁ ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଧାରା ୩୭୦ର ଦ୍ବାହି ଦେଇ ପ୍ରସ୍ତାବ ଆଗତ କରିଥିଲେ। ଧାରା ୩୭୦ର ସେକ୍ସନ ୩ ଏହି ଧାରାକୁ ଯେ କୌଣସି ସମୟରେ ଅଚଳ କରିଦେବାକୁ ରାଷ୍ଟ୍ରପତିଙ୍କୁ କ୍ଷମତାପନ୍ନ କରିଛି। ରାଷ୍ଟ୍ରପତିଙ୍କ ଏକ ଆଦେଶ ବଳରେ ସରକାର ସମଗ୍ର ସ୍ଥିତିକୁ ଓଲଟାଇ ଦେଇଛନ୍ତି ଏବଂ ଏକ ଐତିହାସିକ ନିଷ୍ପତ୍ତି ତତ୍‌କ୍ଷଣାତ କାର୍ଯ୍ୟକାରୀ ହେବାରୁ ଜମ୍ମୁ କଶ୍ମୀରରେ ନୂଆ ଇତିହାସ ସୃଷ୍ଟି ହୋଇଛି ଏବଂ ଭୂଗୋଳ ବଦଳି ଯାଇଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଏହା ଏକ ଚକିତକାରୀ ପଦକ୍ଷେପ ଥିଲା ଏବଂ ଏହି ରଣନୀତି ସରକାର ଆପଣାଇବେ ବୋଲି ବିରୋଧୀ କଂଗ୍ରେସ କଳ୍ପନା କରିନଥିଲା। ଧାରା ୩୭୦କୁ ଉଚ୍ଛେଦ କରିବା ପରିବର୍ତ୍ତେ ଏହାର ସମସ୍ତ ପ୍ରାବଧାନକୁ ଶେଷ କରି ସରକାର ସାମ୍ବିଧାନିକ ସଙ୍କଟକୁ ମଧ୍ୟ ଟାଳି ଦେଇଛନ୍ତି।

ଧାରା ୩୭୦କୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲେ ସମ୍ବିଧାନ ସଂଶୋଧନ ଆବଶ୍ୟକ ପଡ଼ିଥାନ୍ତା ଏବଂ ଧାରା ୩୬୮ ଅଧୀନରେ ସମ୍ବିଧାନ ସଂଶୋଧନ ହୋଇଥାନ୍ତା। ଗୃହମନ୍ତ୍ରୀ ଶାହ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ରାଷ୍ଟ୍ରପତିଙ୍କ ଆଦେଶର ଅନୁମୋଦନ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ବିରୋଧୀ ଦଳ ଏଥିରେ ହତବାକ୍‌ ହୋଇଯାଇଥିଲେ ଏବଂ ଏହାକୁ ବିଫଳ କରିବା ପାଇଁ କାହା ପାଖରେ କିଛି ଉପାୟ ନଥିଲା। ୧୯୫୨ ଏବଂ ୧୯୬୨ରେ ଜବାହରଲାଲ ନେହରୁ ଧାରା ୩୭୦ କ୍ଷେତ୍ରରେ ଯେଭଳି ନିଷ୍ପତ୍ତି ନେଇଥିଲେ ଠିକ୍‌ ସେହି ରାସ୍ତା ଅନୁସରଣ କରି ସରକାର ଏହାକୁ ଆଜି ଅଚଳ କରିଦେଇଛନ୍ତି।

ସମ୍ବନ୍ଧିତ ଖବର