ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୭୦ ଓ ୩୫(ଏ)ରେ ଜମ୍ମୁ- କଶ୍ମୀରକୁ ପ୍ରଦାନ କରା ଯାଉଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗକୁ ପ୍ରତ୍ୟାହାର ସହ ରାଜ୍ୟ ବଦଳରେ ଜମ୍ମୁ- କଶ୍ମୀର ଓ ଲାଦାଖକୁ ଦେଶର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ସଂସଦର ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରିବା ପରେ ଦେଶର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏଥିସହ ଦେଶର ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ତିନି ଭାଗରେ ବିଭକ୍ତ ହୋଇ ପଡ଼ିଛନ୍ତି।
ସ୍ୱାଭାବିକ ଭାବେ ମୁଖ୍ୟବିରୋଧୀ ଦଳ କଂଗ୍ରେସ ଏହି ପ୍ରସ୍ତାବର ଘୋର ବିରୋଧ କରିଛି। ସରକାରଙ୍କର ଏ ନିଷ୍ପତ୍ତି ଦେଶର ସାମ୍ବିଧାନିକ ଇତିହାସରେ ଏକ କଳା ଦିବସ ରୂପେ ପରିଗଣିତ ହେବ ବୋଲି ଦର୍ଶାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍। ତେବେ କଂଗ୍ରେସର ଏ ବିରୋଧ ସହ ସବୁ କଂଗ୍ରେସ ନେତା ମଧ୍ୟ ଏକମତ ହୋଇ ପାରି ନାହାନ୍ତି। କଂଗ୍ରେସର ବିରୋଧ ସହ ଏକମତ ହୋଇ ନପାରି ରାଜ୍ୟସଭାରେ କଂଗ୍ରେସର ହୁଇପ୍ ଥିବା ଭୁବନେଶ୍ୱର କଲିତା ଆଜି ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି।
ସେହିପରି ବାମଦଳ ପକ୍ଷରୁ ଏହି ପ୍ରସ୍ତାବକୁ ବିରୋଧ କରାଯାଇ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ରେ ବିରୋଧ ପ୍ରଦର୍ଶନ କରାଯାଇଛି। ସେହିପରି ଅଖିଲେଶ ଯାଦବଙ୍କର ସମାଜବାଦୀ ପାର୍ଟି, ମମତା ବାନାର୍ଜୀଙ୍କର ତୃଣମୂଳ କଂଗ୍ରେସ, ପିଡିପି ଓ ନ୍ୟାସନାଲ କନଫରେନ୍ସ ଏହି ପ୍ରସ୍ତାବକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି।
ହେଲେ ଅନ୍ୟ କେତେକ ରାଜନୈତିକ ଦଳ ବିଜେପି ଓ ଏନ୍ଡିଏକୁ ବିରୋଧ କରୁଥିଲେ ମଧ୍ୟ ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ ଦେଇଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆପ୍, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଆଜି ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ ସଂପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ରାଜ୍ୟସଭାରେ ବିଜେଡି ନେତା ଥିବା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଆଗରୁ ଜମ୍ମୁ- କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କେବଳ ମାତ୍ର କୁହା ଯାଉଥିଲା। କିନ୍ତୁ, ଗୃହମନ୍ତ୍ରୀ ରାଜ୍ୟସଭାରେ ଆଗତ କରିଥିବା ଏହି ପ୍ରସ୍ତବ ପରେ ହିଁ ଜମ୍ମୁ- କଶ୍ମୀର ପ୍ରକୃତ ଅର୍ଥରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିଣତ ହେଲା।
Nationalist Congress Party MP Vandana Chavan in Rajya Sabha: The NCP will abstain from voting on this bill. #Article370 pic.twitter.com/jVuFrYhjhn
— ANI (@ANI) August 5, 2019
ସେହିପରି ଏନ୍ସିପି ପରି ଅନ୍ୟ କେତେକ ରାଜନୈତିକ ଦଳ ଏହି ପ୍ରସ୍ତାବକୁ ସମର୍ଥନ କିମ୍ବା ବିରୋଧ କରୁ ନଥିବା ବେଳେ ଏହି ପ୍ରସ୍ତାବ ପାଇଁ ଭୋଟ ବେଳେ ଗୃହରେ ଅନୁପସ୍ଥିତ ରହିବେ ବୋଲି କହିଛନ୍ତି।