ଧାରା ୩୭୦ ଏବେ ହଟିବନି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଯୋଗାଉଥିବା ସମ୍ବିଧାନର ୩୭୦ ଧାରାକୁ ଏବେ ହଟାଯିବା ଯୋଜନା ନାହିଁ। ଆଜି ଲୋକସଭାରେ ବିଜେପି ସାଂସଦ ଅଶ୍ୱିନୀ କୁମାର ଏ ସଂକ୍ରାନ୍ତ ପଚାରିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ଏହି ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଗତ ସାଧାରଣ ନିର୍ବାଚନରେ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ସମ୍ବିଧାନର ଧାରା ୩୭୦କୁ ଉଠାଇନେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସମ୍ପ୍ରତି ଜମ୍ମୁ କଶ୍ମୀରରେ ପିଡିପି ସହ ଶାସନ କରୁଥିବା ବିଜେପି ତାହାର ମେଣ୍ଟ ଧର୍ମ ପାଳନ କରି ବାଧ୍ୟବାଧକତାରେ ସେ ଦିଗରେ ନିରବ ରହିଛି। ତେଣୁ ଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ କ’ଣ ବୋଲି ସ୍ପଷ୍ଟ କରିବାକୁ ହରିଆନା କର୍ଣ୍ଣଲର ସାଂସଦ ଅଶ୍ୱିନୀ କୁମାର ଜାଣିବାକୁ ଚାହିଥିଲେ। ସରକାରଙ୍କର ବର୍ତ୍ତମାନ ପାଇଁ ଧାରା ୩୭୦ ଉଠାଇବା ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଅହିର ଗୃହକୁ ଜଣାଇଥିଲେ। ସେହିପରି ଜମ୍ମୁ କଶ୍ମୀର ପାଇଁ ନିଯୁକ୍ତ କେନ୍ଦ୍ରର ମଧ୍ୟସ୍ଥି ଦିନେଶ୍ୱର ଶର୍ମାଙ୍କ ବିବୃତି ସମ୍ପର୍କରେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଗୌରବ ଗୋଗୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ଅହିର କହିଥିଲେ ଯେ, ସୀମାରେ ପାକିସ୍ତାନ ଜାରି ରଖିଥିବା ଅସ୍ତ୍ର ବିରତି ଉଲ୍ଲଂଘନ ପରିପ୍ରେକ୍ଷୀରେ ମଧ୍ୟସ୍ଥି ଶର୍ମା ଏବେ ସୀମାନ୍ତ ଇଲାକାଗୁଡ଼ିକ ଗସ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର