ଚୀନର କୃତ୍ରିମ ହ୍ରଦ ଅରୁଣାଚଳ ପ୍ରଦେଶ ଏବଂ ଆସାମ ପ୍ରତି ବିପଦ

ଇଟାନଗର: ଗତ ମାସରେ ଚୀନ୍‌ରେ ହୋଇଥିବା ଭୂକମ୍ପ ପରେ ତିବ୍ଦତ୍‌ ଅଞ୍ଚଳର ୟାରଲୁଙ୍ଗ ସାଙ୍ଗପୋ ନଦୀରେ ସୃଷ୍ଟି ହୋଇଥିବା ୩ଟି କୃତ୍ରିମ ହ୍ରଦ ଏବେ ଅରୁଣାଚଳ ପ୍ରଦେଶ ଏବଂ ଆସାମ ପାଇଁ ବିପଦର କାରଣ ହୋଇଛି। ଭୁସ୍ଖଳନ ହେତୁ ସୃଷ୍ଟି ହୋଇଥିବା ଏହି ହ୍ରଦଗୁଡ଼ିକର ପ୍ରକୃତ ଆକାର ଏବଂ ଜଳର ବେଗ ମଧ୍ୟ ଆକଳନ କରାଯାଇନି। ଗତ ନଭେମ୍ବର ୧୭ ତାରିଖରେ ଦକ୍ଷିଣ ଚୀନ୍‌ର ନିଙ୍ଗ୍‌ଚିରେ ୬.୪ ତୀବ୍ରତାର ଭୂକମ୍ପ ହେବାପରେ ୟାରଲୁଙ୍ଗ ସାଙ୍ଗପୋ ନଦୀରେ ୩ଟି କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା। ଅରୁଣାଚଳ ପ୍ରଦେଶରେ ସିଆଙ୍ଗ ଭାବେ ଜଣାଶୁଣା ଏହି ୟାରଲୁଙ୍ଗ ସାଙ୍ଗପୋ ଲୋହିତରେ ମିଶିବାପରେ ବ୍ରହ୍ମପୁତ୍ରରେ ପରିଣତ ହୋଇଛି। ତେବେ ଯଦି ଏହି କୃତ୍ରିମ ହ୍ରଦ ୩ଟି ଏଥିରେ ସାମିଲ ହୋଇଯାଏ ତେବେ ସିଆଙ୍ଗ ଏବଂ ବ୍ରହ୍ମପୁତ୍ର ନଦୀ କୂଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ। ଉକ୍ତ ଦୁଇଟି ନଦୀଜଳ କଳା ପଡ଼ିଯିବା ନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ଏହାର ଜଳ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏବେ ଚୀନ୍‌ର କୃତ୍ରିମ ହ୍ରଦ ୩ଟି ଉଭୟ ଅରୁଣାଚଳ ଏବଂ ଆସାମ ପାଇଁ ବିପଦର କାରଣ ହୋଇଛି। ୨୦୦୦ ଜୁନ୍‌ରେ ଯିଗୋଙ୍ଗ୍‌ ସାଙ୍ଗପୋ ନଦୀରେ ସୃଷ୍ଟ ଏକ କୃତ୍ରିମ ହ୍ରଦ ଜଳ ମାଡ଼ିଯିବା ଦ୍ୱାରା ଏହା ଅରୁଣାଚଳ ପ୍ରଦେଶରେ ବହୁ ଧନଜୀବନ ନଷ୍ଟ କରିଥିଲା। ପ୍ରାୟ ୩୦ ଲୋକ ଏଥିରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର