ଉତ୍ତରାଖଣ୍ଡ ପାଇଁ ଆଉ ଏକ ବିପଦ ମାଡ଼ିଆସୁଛି : ପର୍ବତ ଉପରେ ସୃଷ୍ଟି ହୋଇଛି ନୂଆ ହ୍ରଦ, ଚିନ୍ତାରେ ବିଶେଷଜ୍ଞ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଗତ ସପ୍ତାହରେ ହୋଇଥିବା ଭୟଙ୍କର ବରଫ ବନ୍ୟା ପରେ ଆଉ ଏକ ବିପଦ ମାଡ଼ି ଆସୁଛି । ତାହା ହେଉଛି ଏହି ବନ୍ୟାପାଣି ଆସି ପର୍ବତ ଉପରେ ଏକ ନୂଆ ହ୍ରଦ ସୃଷ୍ଟି ହୋଇଛି । ଏହା ଯେକୌଣସି ସମୟରେ ଭାଙ୍ଗିଯିବାର ଆଶଙ୍କା ରହିଥିବାରୁ ପୁଣି ଏକ ବଡ଼ଧରଣର ପାହାଡ଼ି ବନ୍ୟା ଆସିବାର ସମ୍ଭାବନା ରହିଛି ।

କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଏହି କୃତ୍ରିମ ହ୍ରଦଟି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଥିବା ଋଷିଗଙ୍ଗା ନଦୀରେ ସୃଷ୍ଟି ହୋଇଛି । ଏହା ପ୍ରାୟ ୩୫୦ ମିଟର ଲମ୍ବ ହୋଇଥିବାବେଳେ ଏହା ୬୦ ମିଟର ଉଚ୍ଚତାରେ ରହିଛି । ତେବେ ଚିନ୍ତାର ବିଷୟ ହେଉଛି ଏହି ଅସ୍ଥାୟୀ ହ୍ରଦ ଯେକୌଣସି ସମୟରେ ଭାଙ୍ଗିଯିବାର ଆଶଙ୍କା ରହିଛି । ଏହି ଅଞ୍ଚଳରେ ଆଉ ଏକ ବିପର୍ଯ୍ୟୟ ଏଡ଼େଇବାକୁ କେନ୍ଦ୍ର ସରକାରଙ୍କ ଡିଆରଡିଓର ବୈଜ୍ଞାନିକ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା (ଏନଡିଆରଏଫ)ର ବିଶେଷଜ୍ଞମାନେ ଉଦ୍ୟମ ଚଳାଇଛନ୍ତି । ସାଟେଲାଇଟ, ଡ୍ରୋନ, ହେଲିକାପ୍ଟର ଆଦି ମାଧ୍ୟମରେ ଏହା ଉପରେ ନଜର ରଖାଯାଇଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ କହିଛନ୍ତି ଯେ ଏହି ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନକୁ ସଜାଗ ରଖାଯାଇଛି ।

 

ସମ୍ବନ୍ଧିତ ଖବର