ସୁପର୍‌ ମାର୍କେଟ୍‌କୁ ଆସିବ ମହାକାଶରେ ତିଆରି କୃତ୍ରିମ ମାଂସ

ନ୍ୟୁୟର୍କ: ଜୀବକୋଷରୁ ମାଂସ ସୃଷ୍ଟି କରିବା ଆଉ କାଳ୍ପନିକ ବିଜ୍ଞାନ କାହାଣୀର କଥା ହୋଇ ନାହିଁ। ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ଏ ଭଳି ମାଂସ ତିଆରି କରିଛନ୍ତି ଜଣେ ରୁଷୀୟ ମହାକାଶଚାରୀ। ଖୁବ୍‌ ଶୀଘ୍ର ଏହା ସୁପର୍‌ ମାର୍କେଟ୍‌ରେ ମିଳିବ।

ଥ୍ରି-ଡି ପ୍ରିଣ୍ଟର୍‌ ଦ୍ୱାରା ଗୋରୁ, ଠେକୁଆ ଓ ମାଛ ଟିସ୍ୟୁ ଉତ୍ପାଦନ ନିମନ୍ତେ ଗତ ସେପ୍ଟେମ୍ବର ମାସରେ ମହାକାଶରେ ପରୀକ୍ଷା ହୋଇଥିଲା।

ଏହି ନୂତନ ପ୍ରଯୁକ୍ତିବିଦ୍ୟା ଦୀର୍ଘକାଳୀନ ଯାତ୍ରାକୁ ସମ୍ଭବ କରିବା ସହ ମହାକାଶ ଅନେ୍ଵଷଣର ନବୀକରଣ କରିପାରେ। ଉଦାହରଣ ସ୍ୱରୂପ ମଙ୍ଗଳ ଗ୍ରହକୁ ଯାତ୍ରା କରିବାରେ ସହାୟକ ହୋଇପାରେ ବୋଲି ଇସ୍ରାଏଲୀୟ କମ୍ପାନି ଆଲେଫ୍‌ ଫାର୍ମର ମୁଖ୍ୟ ଡାଇଡିୟର୍‌ ତୌବିଆ କହିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି: କିନ୍ତୁ, ଆମର ଲକ୍ଷ୍ୟ ହେଉଛି ପୃଥିବୀରେ ମାଂସ ବିକ୍ରୟ କରିବା।

ଏହି ଉଦ୍ଭାବନ ପାରମ୍ପରିକ କୃଷିର ସ୍ଥାନ ନେବ ନାହିଁ। ଏହା ହେବ କାରଖାନା ଚାଷର ଉନ୍ନତ ବିକଳ୍ପ।

ପୃଥିବୀ ପୃଷ୍ଠରେ ମଧ୍ୟ ପୂର୍ବରୁ ଷ୍ଟେମ୍‌ ସେଲ୍‌ ଯୋଗେ ମାଂସ ପ୍ରସ୍ତୁତ ସରିଛି। କିନ୍ତୁ, ଏହି ଜାତୀୟ ମାଂସର ନାମକରଣ ଉପରେ ଏବେ ମଧ୍ୟ ବିତର୍କ ଚାଲିଛି। ଲାବ୍ରଟରି, ଆର୍ଟିଫିସିଆଲ୍‌, ସେଲ୍‌-ବେସ୍‌ଡ୍‌ ବା କଲ୍‌ଟିଭେଟେଡ୍‌- ଏଥିରୁ କେଉଁ ନାମଟି ଦିଆଯିବା ତାହା ସ୍ଥିର ହୋଇ ନାହିଁ।

ଏହାକୁ ସମର୍ଥନ କରୁଥିବା ଲୋକେ କହନ୍ତି ଜୀବକୋଷଭିତ୍ତିକ ମାଂସ ଓ ମାଛ ଉତ୍ପାଦନ ଯୋଗୁଁ ଜୀବହତ୍ୟା ବୃଦ୍ଧି ରୋକାଯାଇ ପାରିବା ସହ ମାଂସ ଉତ୍ପାଦନ ହାର ଉଲ୍ଲେଖଯୋଗ୍ୟ ଭାବେ ବଢ଼ିଯିବ। ଏହାକୁ ମାଂସ କୁହାଯିବା ଅନୁଚିତ ବୋଲି କେତେକ କହୁଛନ୍ତି।

ସମ୍ବନ୍ଧିତ ଖବର