ରାହୁଲ ‘ମୂର୍ଖ ରାଜକୁମାର’

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ପ୍ରସଙ୍ଗକୁ ନେଇ ମୋଦୀ ସରକାର ଓ ବିରୋଧୀ ମଧ୍ୟରେ ଲଢ଼େଇ  ତୀବ୍ର  ହେବାରେ ଲାଗିଛି। ନିୟମିତ ଭାବେ ଏହି ପ୍ରସଙ୍ଗରେ ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି।   ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ  ଜଣେ ‘ମୂର୍ଖ ରାଜକୁମାର’ ବୋଲି ଅଭିହିତ କରିଛନ୍ତି।

ଜେଟ୍‌ଲି କହିଛନ୍ତି, ରାଫେଲ୍‌ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାହୁଲଙ୍କୁ କାଣିଚାଏ ଜଣା ନାହିଁ। କେବଳ ମିଥ୍ୟା ତଥ୍ୟ ଉପରେ ପର୍ଯ୍ୟବସିତ କିଛି ବିବୃତିକୁ ସେ ବାରମ୍ବାର ଦୋହରାଉଛନ୍ତି। ଯେଉଁଁଠାକୁ ଯାଉଛନ୍ତି ସେହି ସମାନ କଥା କହୁଛନ୍ତି। ରାହୁଲଙ୍କ ରଣକୌଶଳ ବେଶ୍‌ ସାଦାସିଧା। ପ୍ରଥମେ ସେ ଏକ ମନଗଢ଼ା ମିଛ ମନ ଭିତରେ ପ୍ରସ୍ତୁତ କରୁଛନ୍ତି। ପରେ ଏହାକୁ ବାରମ୍ବାର ଦୋହରାଇ ନିଜ ମୂର୍ଖତାର ପରିଚୟ ଦେଉଛନ୍ତି। କୌଣସି ପ୍ରସଙ୍ଗରେ କହିବାକୁ ସାମର୍ଥ୍ୟ ରଖିନଥିବା ରାହୁଲ ଏଭଳି ମିଛ କହି ନିଜ କାମ ସାରିଦେଉଥିବା ଜେଟ୍‌ଲି ଦର୍ଶାଇଛନ୍ତି। ‘ଫଲ୍‌ସହୁଡ୍‌ ଅଫ୍‌ ଏ କ୍ଲୋନ୍‌ ପ୍ରିନ୍ସ’ ଶୀର୍ଷକ ନିଜର ଏକ ଫେସ୍‌ବୁକ୍‌ ପୋଷ୍ଟରେ ଜେଟ୍‌ଲି କହିଛନ୍ତି, ପରିପକ୍ୱ ରାଜନୀତିରେ କେବଳ ମିଥ୍ୟା ଉପରେ ନିର୍ଭର କରୁଥିବା ଲୋକମାନେ ସାଧାରଣ ଜୀବନ ପାଇଁ ଅନୁପଯୁକ୍ତ ହୋଇଯାଆନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ମୋ ତରଫରୁ ହୋଇଥିବା ପ୍ରଶ୍ନର ଗୋଟିଏ ହେଲେ ଯଥାର୍ଥ ଉତ୍ତର ମିଳିନାହିଁ। କେବଳ ମିଥ୍ୟାରୋପ କରାଯାଉଛି। ତେବେ ମିଥ୍ୟାକୁ ଭରସୁଥିବା ଲୋକମାନେ ରାଜନୀତିରେ ବେଶିଦିନ ତିଷ୍ଠି ରହିପାରି ନାହାନ୍ତି ବୋଲି ଜେଟ୍‌ଲି ଉଲ୍ଲେଖ କରିଛନ୍ତି। ରାଫେଲ ବ୍ୟତୀତ ରାହୁଲ ଆଉ ଏକ ମିଛ ମଧ୍ୟ କହିଛନ୍ତି। ୧୫ଟି ଶିଳ୍ପର ୨,୫୦,୦୦୦ କୋଟି ଟଙ୍କା କ୍ଷତି ଘଟିବାରେ ମୋଦୀ ସରକାରଙ୍କ ହାତ ଥିବା ସେ ବାରମ୍ବାର କହୁଛନ୍ତି। ୟୁପିଏ ଅମଳରେ ହିଁ ଲୁଟ୍‌ର ଶିକାର ହେବା ପାଇଁ ବ୍ୟାଙ୍କଗୁଡ଼ିକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।

ଜେଟ୍‌୍‌ଲିଙ୍କ ସମାଲୋଚନାର ଜବାବରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି ଯେ ଜେଟ୍‌ଲି କେବଳ ଚର୍ଚ୍ଚାରେ ରହିବା ପାଇଁ ମିଥ୍ୟା ବ୍ଲଗ୍‌୍‌ ଲେଖୁଛନ୍ତି ଏବଂ ଦରବାରୀ ବିଦୂଷକ ଭଳି ଆଚରଣ କରୁଛନ୍ତି।

ସମ୍ବନ୍ଧିତ ଖବର