ନୂଆଦିଲ୍ଲୀ: ଜାତିସଂଘସୁରକ୍ଷା ପରିଷଦରେ ଚୀନକୁ ସ୍ଥାନ ଓ କାଶ୍ମୀର, ଉଭୟ ପ୍ରସଙ୍ଗ ପାଇଁ କେବଳ ନେହରୁ ହିଁ ଦାୟୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜିନପିଙ୍ଗଙ୍କୁ ଡରୁଥିବା ଜଣେ ଭୀରୁ ବ୍ୟକ୍ତି କହିବା ପରେ କିଛି ଏଭଳି ଶବ୍ଦରେ ଜବାବ୍ ରଖିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ଜେଟଲୀ କହିଛନ୍ତି ନେହରୁଙ୍କ ଯୋଗୁ ଚୀନ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇଥିଲା। ସେହିପରି କଶ୍ମୀର ସମସ୍ୟା ପାଇଁ ମଧ୍ୟ ଜବାହରଲାଲ୍ ନେହରୁ ଦାୟୀ ବୋଲି କଂଗ୍ରେସକୁ ଆକ୍ଷେପ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ ଓ କାଶ୍ମୀର ସମସ୍ୟା ପାଇଁ କିଏ ଦାୟୀ ? ନେହରୁଙ୍କ ନାଁ ନେବେ କି ରାହୁଲ ଗାନ୍ଧୀ ? କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ଅରୁଣ ଜେଟଲୀ। ଜେଟଲୀ କହିଛନ୍ତି ‘ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ନିଶ୍ଚିତ ଥିବା ବେଳେ ନେହରୁ ଭାରତ ନୁହଁ ଚୀନର ପକ୍ଷ ନେଇଥିଲେ। କାଶ୍ମୀର, ଚୀନ ଉଭୟ ପ୍ରସଙ୍ଗରେ ଜଣେ ବ୍ୟକ୍ତି ହିଁ ମୂଳତଃ ଦୋଷୀ। ୧୯୫୫ ମସିହା ଅଗଷ୍ଟ ୨ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କୁ ନେହେରୁ ଲେଖିଥିବା ଚିଠିରୁ ସ୍ପଷ୍ଟ ହେଉଛି ଯେ ଜାତିସଂଘରେ ଚୀନକୁ ନେବା ପାଇଁ ଓ ସୁରକ୍ଷା ପରିଷଦରେ ଚୀନ ବଦଳରେ ଭାରତକୁ ନେବାପାଇଁ ଆମେରିକା କହିଥିଲା। ତେବେ ସେତେବେଳେ ନେହରୁ କହିଥିଲେ ଚୀନ ଭଳି ମହାନ ଦେଶ ସୁରକ୍ଷା ପରିଷଦରେ ନ ରହିବା ବେଇମାନି ହେବ। କଂଗ୍ରେସ ଅଧ୍ୟକ୍ଷ କହିବେ କି ଏହି ଦୁଇଟି ଯାକ ଘଟଣାରେ ମୂଳ ଦୋଷୀ କିଏ ଥିଲେ ?
ମାସୁଦ୍ ଆଝାରକୁ ମୁକୁଳାଇବା ପଛରେ ବାଜପେୟୀ ସରକାରଙ୍କ ଆଡ଼କୁ ବାରମ୍ବାର ଈଶାରା କରୁଥିବା କଂଗ୍ରେସକୁ ଅରୁଣ ଜେଟଲୀ ନେହରୁଙ୍କ କଥା କହି ଅତୀତର କଥା ମନେପକାଇ ଦେଇଛନ୍ତି। ଆଉ ଏହି ପ୍ରସଙ୍ଗକୁ ନେଇ ତେଜିବାରେ ଲାଗିଛି ରାଜନୀତି ଓ ଆରମ୍ଭ ହୋଇଯାଇଛି ଆରୋପପ୍ରତ୍ୟାରୋପ। ପୂର୍ବରୁ ରାହୁଲ୍ କହିଥିଲେ ଦୁର୍ବଳ ମୋଦି ଜିନପିଙ୍ଗଙ୍କୁ ଭୟ କରୁଛନ୍ତି। ଯେବେ ବି ଚୀନ ଭାରତ ବିରୁଦ୍ଧରେ ପଦକ୍ଷେପ ନିଏ ମୋଦିଙ୍କ ପାଟିରୁ ଶବ୍ଦଟିଏ ବି ବାହାରେ ନାହିଁ। ଆଉ ଏହାର ଜବାବରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସକୁ ମନେ ପକାଇ ଦେଇଛନ୍ତି ନେହରୁଙ୍କ ସମୟର ସେହି ପୁରୁଣା କଥା। ମାସୁଦକୁ ନେଇ ବିବାଦରେ ଲାଗିଛି ବୟାନବାଜୀ। ସେପଟେ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ଭିନ୍ନ ବାଟ ଗ୍ରହଣ କରିବାକୁ ଉଦ୍ୟମ ଜାରି ରଖିଛି।