ଆଜି ବଜେଟ୍‌

ଆୟକର ଛାଡ଼ ସୀମା ବଢ଼ିପାରେ, ସାମାଜିକ କ୍ଷେତ୍ରକୁ ମିଳିବ ଅଧିକ ପାଣ୍ଠି

ନୂଆଦିଲ୍ଲୀ : ଆୟକର ଛାଡ଼ ସୀମାରେ କେତେ ରିହାତି ମିଳିବ? ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କଣ ପଦକ୍ଷେପ ନିଆଯିବ? ଚାଷୀମାନଙ୍କୁ ପ୍ରୋତ୍ସାହନ ମିଳିବ ନା ନାହିଁ? ରେଳ ଭଡ଼ା କମିବ କି? ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଉପସ୍ଥାପନ କରିବାକୁ ଯାଉଥିବା ବଜେଟକୁ ନେଇ ଏଭଳି ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅନେକ ଦୃଷ୍ଟିରୁ ଏହା ଜେଟ୍‌ଲିଙ୍କ ପାଇଁ ସବୁଠୁ ଆହ୍ଵାନପୂର୍ଣ୍ଣ ବଜେଟ୍‌ ବୋଲି କୁହାଯାଉଛି। ନିବେଶ ଓ ନିଯୁକ୍ତି ବଢ଼ାଇବା, ଚାଷୀଙ୍କ ସମସ୍ୟା ସମାଧାନ କରିବା ଏବଂ ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ତାଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି କୁହାଯାଉଛି।

ଚଳିତ ବର୍ଷ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଲୋକସଭା ନିର୍ବାଚନ ମଧ୍ୟ ଆଗୁଆ ହୋଇପାରେ ବୋଲି ଚର୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ବଜେଟରେ କିଛି ଲୋଭନୀୟ ଘୋଷଣା କରାଯାଇପାରେ। ବେତନଭୋଗୀ ବର୍ଗଙ୍କୁ ଖୁସି କରିବା ପାଇଁ ସରକାର ଆୟକର ଛାଡ଼ ସୀମାକୁ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇପାରନ୍ତି। ଏହି ସୀମା ଏବେ ଅଢ଼େଇ ଲକ୍ଷ ଟଙ୍କା ରହିଛି। ସେହିଭଳି ସାଧାରଣ ଭୋଟରମାନଙ୍କୁ ଖୁସି କରିବା ପାଇଁ ଅନେକ ଲୋଭନୀୟ ସ୍କିମ୍‌ ବିଷୟରେ ଘୋଷଣା କରାଯାଇପାରେ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ନିରାପତ୍ତା ପ୍ରତି ବଜେଟ୍‌ରେ ଅଧିକ ଦୃଷ୍ଟି ଦିଆଯିବାର ସମ୍ଭାବନା ରହିଛି। ଗ୍ରାମୀଣ ଭୋଟରଙ୍କୁ ଖୁସି କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ସ୍କିମ୍‌ (ମନରେଗା)ର ବ୍ୟୟବରାଦ ବଢ଼ିପାରେ। ଏହା ବ୍ୟତୀତ ସର୍ବଶିକ୍ଷା ଅଭିଯାନକୁ ମଧ୍ୟ ଭଲ ପରିମାଣର ପାଣ୍ଠି ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଗ୍ରାମୀଣ ହାଉସିଂ କ୍ଷେତ୍ରକୁ ମଧ୍ୟ ବଜେଟ୍‌ରେ ଗୁରୁତ୍ୱ ମିଳିବ।

କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଘୋଷଣା ହେବାର ସମ୍ଭାବନା ରହିଛି। ବିଶେଷ କରି ଜଳସେଚନ ଏବଂ ଫସଲ ବୀମା ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇପାରେ। ରେଳପଥ ଏବଂ ରାଜପଥ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅଧିକ ବ୍ୟୟବରାଦ କରାଯିବ। କର୍ପୋରେଟ୍‌ ଜଗତ ଆଶା କରୁଛି ଯେ କର୍ପୋରେଟ୍‌ ଟିକସ ହାର ୩୦%ରୁ ହ୍ରାସ ପାଇ ୨୫% ହେବ।

ସୂଚନାଯୋଗ୍ୟ, ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଏହା ସରକାରଙ୍କ ପ୍ରଥମ ବଜେଟ୍‌। ତେଣୁ ଅନେକ ଦୃଷ୍ଟିରୁ ଏହି ବଜେଟ୍‌ ଭିନ୍ନ ରହିବ ବୋଲି ଅନୁମାନ କରାଯାଉଛି। ଟିକସ ପ୍ରସ୍ତାବରେ ସରକାର କେବଳ ପ୍ରତ୍ୟକ୍ଷ ଟିକସକୁ ନେଇ ଯାହା କିଛି ଘୋଷଣା କରିପାରିବେ। ଯେହେତୁ ଜିଏସ୍‌ଟିରେ ସବୁ ପରୋକ୍ଷ ଟିକସ ମିଶିଯାଇଛି, ତେଣୁ ସେ ବାବଦରେ ଅଧିକ କିଛି ଘୋଷଣା କରିବାର ସୁଯୋଗ ସରକାରଙ୍କ ପାଖରେ ନାହିଁ। କ’ଣ ଶସ୍ତା, କ’ଣ ମହଙ୍ଗା ହେବ, ସେବିଷୟରେ ମଧ୍ୟ ବଜେଟ୍‌ରୁ କିଛି ଜଣାପଡ଼ିବନି।

ଜିଏସ୍‌ଟି ଲାଗୁ ହେବା ପରେ ଯେତିକି ପରିମାଣର ଟିକସ ଆଦାୟ ହେବ ବୋଲି ଆଶା କରାଯାଉଥିଲା, ସେଭଳି ସଫଳତା ମିଳିନାହିଁ। ତେଣୁ ରାଜସ୍ୱ ପରିମାଣ ବଢ଼ାଇବା ପାଇଁ ସରକାର ବିଭିନ୍ନ ଲାଭଜନକ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ଉପରେ ଅଧିକ ଗୁରୁତ୍ୱ ଦେଇପାରନ୍ତି। ଏୟାର ଇଣ୍ଡିଆର ବିକ୍ରିକୁ ନେଇ ବଜେଟ୍‌ରେ ସ୍ୱତନ୍ତ୍ର ଘୋଷଣା କରାଯାଇପାରେ। ଏହା ବ୍ୟତୀତ ଘରୋଇ ପୁଞ୍ଜିନିବେଶ ପରିମାଣ ବଢ଼ାଇବା ଏବଂ ଅଧିକ ପରିମାଣର ବିଦେଶୀ ପାଣ୍ଠି ଆଣିବା ପାଇଁ ଅର୍ଥମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଘୋଷଣା କରିପାରନ୍ତି।

ସମ୍ବନ୍ଧିତ ଖବର