ସିଭିସି ଯାଞ୍ଚରେ ସତ୍ୟ ସାମ୍ନାକୁ ଆସିବ: ଜେଟ୍‌ଲି

‘ସିଜର୍‌ଙ୍କ ପତ୍ନୀ ସନ୍ଦେହର ଊର୍ଦ୍ଧ୍ବରେ’

ନୂଆଦିଲ୍ଲୀ: ସିବିଆଇରେ ଲାଗିରହିଥିବା ଆଭ୍ୟନ୍ତରୀଣ ବିବାଦ ଭିତରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ ଏବଂ ସିଭିସି ତଦନ୍ତରୁ ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତ ସତ୍ୟ ସାମ୍ନାକୁ ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ସିବିଆଇର ଦୁଇ ଜଣ ସର୍ବୋଚ୍ଚ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାରୁ ସରକାର ନିରପେକ୍ଷ ତଦନ୍ତ ପାଇଁ ଉଭୟ ଅଧିକାରୀଙ୍କୁ ଛୁଟିରେ ପଠାଇଛନ୍ତି ଏବଂ ଏହା ଏକ ଜରୁରୀ ପଦକ୍ଷେପ ଥିଲା ବୋଲି ଜେଟ୍‌ଲି କହିଛନ୍ତି। ସିବିଆଇର ସମସ୍ତ ଅଧିକାରୀ ମୁଖ୍ୟତଃ ପ୍ରଥମ ୨ ଜଣ ‘ସିଜର୍‌ଙ୍କ ପତ୍ନୀ ସନ୍ଦେହର ଊର୍ଦ୍ଧ୍ବରେ’ ରହିବା ଭଳି ସ୍ଥିତିରେ ରୁହନ୍ତୁ ବୋଲି ସେ କହିଛନ୍ତି। ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ନେଇ ସରକାରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଯୁକ୍ତିସଂଗତ ଥିଲା ଏବଂ ଏହା ସୁପ୍ରିମ୍‌ କୋର୍ଟରେ ପ୍ରମାଣିତ ହୋଇଛି ବୋଲି ଜେଟ୍‌ଲି କହିଛନ୍ତି। ବର୍ତ୍ତମାନର ଘଟଣାକ୍ରମ ସିବିଆଇର ସୁନାମରେ ବଡ଼ ଧରଣର ଆଞ୍ଚ ଆଣିଛି ଏବଂ ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର