ଅନ୍ତଃସତ୍ତ୍ୱା ମହିଳାଙ୍କୁ ନିଜ ହେଲିକପ୍ଟର୍‌ରେ ଡାକ୍ତରଖାନା ନେଲେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ

ଇଟାନଗର: ଜରୁରୀ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଥିବା ଜଣେ ଅନ୍ତଃସତ୍ତ୍ୱା ମହିଳାଙ୍କୁ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବ୍ରିଗେଡିୟର୍‌ ବି. ଡି. ମିଶ୍ର ନିଜ ହେଲିକପ୍ଟର୍‌ ଯୋଗେ ତଓ୍ଵାଙ୍ଗ୍‌ରୁ ଇଟାନଗରର ଏକ ଡାକ୍ତରଖାନାକୁ ନେଇଥିବା କଥା ରାଜଭବନ ସୂତ୍ରରୁ ଗରୁବାର ଦିନ କୁହାଯାଇଛି।

ତେଜପୁର ଠାରେ ଉକ୍ତ ହେଲିକପ୍ଟର୍‌ଟିରେ କିଛି ତ୍ରୁଟିବିଚ୍ୟୁତି ଦେଖା ଦେବାରୁ ରାଜ୍ୟପାଳ ବାୟୁସେନାର ଏକ ହେଲିକପ୍ଟର୍‌ ମଗାଇ ପ୍ରଥମେ ସେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ରାଜଧାନୀ ପଠାଇବାର ବ୍ୟବସ୍ଥା କରିଥିଲେ। ପରେ ଅନ୍ୟ ଏକ ବିମାନରେ ରାଜ୍ୟପାଳ ଫେରିଥିଲେ।

ସମୟ ନଷ୍ଟ ନ କରି ଅନ୍ତଃସତ୍ତ୍ୱା ମହିଳାଙ୍କୁ ଇଟାନଗରସ୍ଥିତ ରାଜଭବନ ହେଲିପ୍ୟାଡ୍‌ରୁ ଡାକ୍ତରଖାନା ନେଇଯିବା ପାଇଁ ରାଜ୍ୟପାଳ ଏକ ଆମ୍ବୁଲାନ୍‌ସ୍‌ ଏବଂ ଜଣେ ମହିଳା ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ବ୍ୟବସ୍ଥା କରାଇଥିଲେ।

ଇଟାନଗରସ୍ଥିତ ହୀମା ହସ୍‌ପିଟାଲ୍‌ରେ ମହିଳାଙ୍କ ଠାରେ ସଫଳତାର ସହ ଜରୁରୀକାଳୀନ ସିଜେରିଆନ୍‌ ଡେଲିଭରି କାରାଯାଇଛି।

ସଡ଼କ ପଥରେ ତାଓ୍ଵାଙ୍ଗ୍‌ରୁ ଇଟାନଗରର ଦୂରତା ହେଉଛି ୨୦୦ କିଲୋମିଟର। ସେ ପଥୁରିଆ ସଡ଼କ ଅତିକ୍ରମ କରିବାକୁ ୧୫ ଘଣ୍ଟା ଲାଗି ଥାଆନ୍ତା। ବିମାନରେ ଲାଗିଲା ପ୍ରାୟ ଦୁଇ ଘଣ୍ଟା।

ତାଓ୍ଵାଙ୍ଗ୍‌ ଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଶୁଣି ପକାଇଥିଲେ। ସେମାନେ କହୁଥିଲେ କି, ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଏବଂ ଆଗାମୀ ତିନି ଦିନ ମଧ୍ୟରେ ଗୌହାଟି ଓ ତାଓ୍ଵାଙ୍ଗ୍‌ ମଧ୍ୟରେ ହେଲିକପ୍ଟର୍‌ ସେବା ନାହିଁ।

ଏ କଥା ଶୁଣି ରାଜ୍ୟପାଳ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗଭର ହୋଇଥିଲେ।

ମହିଳା ଓ ତାଙ୍କ ନବଜାତ ଶିଶୁକୁ ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର