ନୂଆଦିଲ୍ଲୀ: ଭାରତୀୟ ସେନାର ଦାବି ଆଗରେ ମୁଣ୍ଡ ନୂଆଁଇଲା ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଅରୁଣାଚଳରୁ ଉଠାଇ ନେଇଥିବା ୫ ଜଣଙ୍କୁ ଆଜି ଚୀନ ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜିଜୁ । ସେ କହିଛନ୍ତି ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ । ଅରୁଣାଚଳରୁ ନିଖୋଜ ୫ ଯୁବକ ଚୀନରେ ଥିବା ସ୍ୱୀକାର କରିଛି ପିଏଲଏ । ଏଥିସହ ସେମାନଙ୍କୁ ଭାରତକୁ ଫେରାଇ ଦେବାପାଇଁ ରାଜି ହୋଇଛି । ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥିରିକୃତ ସ୍ଥାନରେ ଏମାନଙ୍କୁ ହସ୍ତାନ୍ତର ପ୍ରକ୍ରିୟା ହେବ ।

Advertisment

ଯେକୌଣସି ସମୟରେ ଏହି ପ୍ରତ୍ୟାର୍ପଣ ପ୍ରକ୍ରିୟା ହୋଇପାରେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । କୁହାଯାଉଛି ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରିନେଇଥିଲେ ଚୀନ ସେନା ଯବାନ । ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଜୋର ଲଗାଇଦେଇଥିଲା ଭାରତୀୟ ସେନା । ହଟଲାଇନରେ ପ୍ରତିପକ୍ଷଙ୍କୁ ସନ୍ଦେଶ ଦିଆଗଲା । ଗତ ୮ ତାରିଖରେ ଚୀନ ପ୍ରତିପକ୍ଷ ଭାରତୀୟ ସେନା ମେସେଜର ଉତ୍ତର ରଖିବା ସହ ଯୁବକମାନେ ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲେ । ଏବେ ଆବଶ୍ୟକ ଔପଚାରିକତା ପରେ ଏମାନଙ୍କୁ ଫେରାଇ ଦେବାପାଇଁ ରାଜି ହୋଇଛି ଚୀନ ।