ଦେହଜୀବୀଙ୍କ ପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହଁନ୍ତି ଏହି ବ୍ୟକ୍ତି

ଚାକିରିରୁ ଅବସର ପରେ ଦେହଜୀବୀଙ୍କ ସେବାରେ ଲାଗିଛନ୍ତି ଅରୂପ

କୋଲକାତା: ଦେହଜୀବୀ ବା ସେକ୍ସ ୱାର୍କରଙ୍କୁ ସମାଜ ଏକ ଭିନ୍ନ ନଜରରେ ଦେଖିଥାଏ | ଦେହ ପାଇଁ ବ୍ୟବସାୟ କରୁଥିବା ଦେହଜୀବୀ ଖୁବ ଆରାମରେ ଚଳୁଥିବା କଥା ପ୍ରାୟ ସମସ୍ତେ ଭାବନ୍ତି | କିନ୍ତୁ କିଭଳି ପରିସ୍ଥିତିରେ ଜଣେ ଏଭଳି କରିବାକୁ ବାଧ୍ୟ ହୋଇଥାଏ, ସେବାବଦରେ ପ୍ରାୟତଃ କେହି ବୁଝିନଥାନ୍ତି | ହେଲେ, କୋଲକାତାର ଅରୂପ ସେନଗୁପ୍ତା ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ଯିଏ କି ଦେହଜୀବୀ ଓ ତାଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ଦିନ ରାତି ଏକ କରି ପରିଶ୍ରମ କରିଥାନ୍ତି | ନିଜ ଜୀଵନର ଅନେକ ସଂଘର୍ଷମାୟା ସୋପାନକୁ ଦେଖିଥିବା ଅରୂପ ୪ ବର୍ଷ ପୂର୍ବେ ‘ନୋତୁନ ଜୀବନ’ ବା ନୂତନ ଜୀବନ ନାମକ ସ୍ବେଛାସେବୀ ସଂଗଠନ ଆରମ୍ଭ କରିଥିଲେ | ଦେହଜୀବୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇଆଣିବା ସହ ସେମାନଙ୍କ ପିଲାମାନେ କିଭଳି ପାଠ ପଢିପାରିବେ ସେହି ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିଥାଏ |

Photo-Better India

ଏହି ସଂଗଠନରେ ନାରୀ ଶକ୍ତି ଦଳ ଭାବରେ ଆଠଜଣ ମହିଳା ଅଛନ୍ତି, ଯେଉଁମାନେ ପୂର୍ବରୁ ଦେହଜୀବୀ ଥିଲେ | ନୂତନ ଜୀବନ ଅନୁଷ୍ଠାନରେ ବର୍ତ୍ତମାନ ଏହି ସ୍ବେଛସେବୀମାନେ ପିଲାମାନଙ୍କୁ ପାଠ ପଢାଇବା ସହ ଖାଦ୍ୟ ସାମଗ୍ରୀ ବଣ୍ଟନ କାମ କରୁଛନ୍ତି | ନୂତନ ଜୀବନର ଜଣେ ସଦସ୍ୟା କୁହନ୍ତି ଯେ ବିବାହ କରିବା ପରେ ଶାଶୂଘର ପକ୍ଷରୁ ଯେତେବେଳେ ଶାରୀରିକ ସହ ମାନସିକ ନିର୍ଯାତନା ଦିଆଯାଇଥିଲା ସେତେବେଳେ ଅରୂପ ଭାଇ ମତେ ରକ୍ଷା କରିଥିଲେ | ଆଉ ତାଙ୍କ ସଙ୍ଗଠନରେ କାମ କରିବାର ସୁଯୋଗ ଦେଇଥିଲେ | ଅରୂପଙ୍କ କହିବା କଥା ଯେ ତାଙ୍କର ନାରୀଶକ୍ତି ଉପରେ ଖୁବ ଭରସା ଅଛି, ଯେଉଁ ଦିନ ସେ ଚାଲିଯିବେ ଏହି ନାରୀ ଶକ୍ତି ହିଁ ତାଙ୍କ ସଙ୍ଗଠନକୁ ଆଗକୁ ବଢ଼ାଇନେବ | ଲକଡାଉନ ସମୟରେ ଯେତେବେଳେ କୋଲକାତାର ଦେହଜୀବୀମାନେ ଅଭାବରେ ଥିଲେ ସେତେବେଳେ ଅରୂପଙ୍କ ସଂଗଠନ ବୁଲି ବୁଲି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ |

ଏମିତି ଥିଲା ଅରୂପଙ୍କ ଜୀବନ
୧୯୫୨ ମସିହାରେ, ଅରୁପ ଏକ ସମୃଦ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ | କିନ୍ତୁ ୧୯୬୮ ମସିହାରେ, ସେ ପିତାଙ୍କୁ ହରାଇଲେ | ପରିବାର ଚଳାଇବା ପାଇଁ ତାଙ୍କ ବଡ ଭଉଣୀକୁ ଏକ ଡ୍ୟାନ୍ସ ବାରରେ କାମ କରିବାକୁ ପଡିଲା | ଆଉ ଏହି ସମୟରେ ଅରୂପ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିଲେ | ସେତେବେଳେ ସ୍ଥାନୀୟ ଲୋକ ଅରୂପଙ୍କୁ ତାଙ୍କ ଘରୁ ତଡ଼ିଦେଇଥିଲେ | ଏହା ପରେ ଅରୂପ ଏକ ଆଶ୍ରୟ ଗୃହରେ ରହି ପାଠ ପଢିଥିଲେ | ଅରୁପ ସବୁକିଛି ହରାଇ ସାରିଥିଲେ। ତଥାପି,ଅରୂପଙ୍କ ମନୋବଳ ଭାଙ୍ଗିନଥିଲା | ସେ ବିବାହ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଡ଼୍ରମ୍ ବଜାଇ କିଛି ରୋଜଗାର କରୁଥିଲେ ଓ ସେହି ଅର୍ଥରେ ପାଠ ପଢୁଥିଲେ | କଲେଜ ପାଠ ଶେଷ କରିବା ପରେ, ସେ ୪୫ ବର୍ଷରୁ ଅଧିକ ସମୟ ଧରି ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋରରେ କର୍ପୋରେଟ୍ ଜଗତରେ କାର୍ଯ୍ୟ କରିଥିଲେ | ଚାରି ବର୍ଷ ପୂର୍ବେ, ଯେତେବେଳେ ସେ କର୍ପୋରେଟ୍ ଜଗତରୁ ଅବସର ନେଇଥିଲେ, ଅରୂପ କୋଲକାତାରେ ରହିବାକୁ ପସନ୍ଦ କଲେ | ଆଉ ନିଜ ସଂଗଠନ ଆରମ୍ଭ କରିଥିଲେ | କ୍ରନିକ ଆବଷ୍ଟ୍ରକ୍ଟିଭ ପାଲମୋନାରୀ ଡିଜିଜରେ ପୀଡିତ ଅରୂପ ସବୁବେଳେ ନିଜ ସହ ଏକ ଅମ୍ଳଜାନ ଥଳି ରଖିଥାନ୍ତି | କାରଣ ଏହି ରୋଗ ଦ୍ୱାରା ଶରୀରରେ ଅମ୍ଳଜାନ କମ ହୋଇଯାଇଥାଏ | ଏସବୁ ସତ୍ତ୍ୱେ ଅରୂପ ଦେହଜୀବୀ ଓ ତାଙ୍କ ପିଲାମାନଙ୍କ ସେବାରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର