ମାନ୍ଦାବସ୍ଥାର ମହାପ୍ରଭାବ : ଉତ୍ପାଦନ ବନ୍ଦ କଲା ମାରୁତି

ସବୁ କମ୍ପାନି ଉତ୍ପାଦନ କମାଇଲେ, ୮ ମାସରେ ଛଟେଇ ‌ହେଲେଣି ୩ ଲକ୍ଷ ୫୦ ହଜାର କର୍ମଚାରୀ, ୫ ଟଙ୍କିଆ ବିସ୍କୁଟ ବି କିଣୁ ନାହାନ୍ତି

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଏବେ ମାନ୍ଦାବସ୍ଥା କବଳରେ। ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିଯିବା ଏବଂ ଷ୍ଟକ୍‌ ବଜାରରେ ସୂଚକାଙ୍କ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଥିବା.ବେଳେ ‌ବିଭିନ୍ନ ଶିଳ୍ପସଂସ୍ଥା ଉପରେ ବି ମାନ୍ଦାବସ୍ଥାର ମହାପ୍ରଭାବ ଦେଖିବାକୁ ମିଳିଛି। ଦେଶର ଗାଡ଼ି ବଜାର ସବୁଠୁ କଠିନ ସମୟ ଦେଇ ଗତି କରୁଛି। ସବୁ ପ୍ରକାର ଗାଡ଼ି ବିକ୍ରି କମିଛି। ସେଥିପାଇଁ ଗାଡ଼ି ଉତ୍ପାଦନ କରୁଥିବା କଂପାନିଗୁଡ଼ିକଙ୍କୁ ଅନେକ କଠୋର ନିଷ୍ପତ୍ତି ନେବାକୁ ପଡ଼ୁଛି। ଦେଶର ସବୁଠୁ ବଡ଼ କାର୍ କଂପାନି ମାରୁତି ସୁଜୁକି ଏହାର ଦୁଇଟି କାରଖାନାରେ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ମାରୁତିର ମାନେସର ଓ ଗୁରୁଗ୍ରାମରେ ଦୁଇଟି କାରଖାନା ରହିଛି। ସେହି ଦୁଇଟି କାରଖାନରେ ଉତ୍ପାଦନ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏ ବିଷୟରେ କଂପାନି ବମ୍ବେ ଷ୍ଟକ୍‌ ବଜାରକୁ ସୂଚନା ଦେଇଛି।

କାର୍ ବିକ୍ରି କ୍ରମାଗତ ଦଶମ ମାସରେ ହ୍ରାସ ପାଇଥିବାରୁ କଂପାନିଗୁଡ଼ିକ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଗତ ଅଗଷ୍ଟରେ ମାରୁତି ସୁଜୁକି ଏହାର ଉତ୍ପାଦନ ଏକ ତୃତୀୟାଂଶ କମାଇଥିଲା।

କ୍ରମାଗତ ସପ୍ତମ ମାସ ପାଇଁ କଂପାନି ଉତ୍ପାଦନ କମାଇଥିବା ଜଣାପଡ଼ିଛି।

ଅଗଷ୍ଟ ମାସରେ ପ୍ରାୟ ସବୁ ପ୍ରମୁଖ କାର୍‌ କଂପାନି ସେମାନଙ୍କ ଉତ୍ପାଦନକୁ କିଛି ଦିନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ। ମାରୁତି ସମେତ ଟୟୋଟା, ହୁଣ୍ଡାଇ ମଧ୍ୟ ଉତ୍ପାଦନ ବନ୍ଦ କରିଥିଲେ। ବଡ଼ କାର୍ କଂପାନିଗୁଡ଼ିକୁ ଯନ୍ତ୍ରାଂଶ ଯୋଗାଉଥିବା ଅନେକ ‌ଛୋଟ କଂପାନିର କାରଖାନାରେ ତାଲା ପଡ଼ିଯାଇଥିଲା। ଫଳରେ ସେହି ସବୁ ସଂସ୍ଥାରେ କାମ କରୁଥିବା ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି।

ଅଗଷ୍ଟରେ କାର୍ ବିକ୍ରି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସବୁ କଂପାନିର ବିକ୍ରି କମିଛି। ସେପ୍ଟେମ୍ବର ମାସ ଆରମ୍ଭ ନହେଉଣୁ ମାରୁତି ଏହାର ଉତ୍ପାଦନ ବନ୍ଦ କରିବାକୁ ଯାଉଛି। ଆଗାମୀ ଦିନରେ ଅନ୍ୟ କଂପାନିଗୁଡ଼ିକ ମଧ୍ୟ ଉତ୍ପାଦନ ବନ୍ଦ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ମାରୁତି କାର ବିକ୍ରି ୩୬ ଭାଗ କମିଥିବା ବେଳେ ଟାଟା ୫୮ ଭାଗ, ହୋଣ୍ଡା ୫୧%, ମହିନ୍ଦ୍ରା କାର ବିକ୍ରି ୨୫% କମିଛି। ସେହିଭଳି ବାଇକ୍ ବିକ୍ରି ମଧ୍ୟ କମିଛି। ବଜାଜ ବିକ୍ରି ୨୧% କମିଥିବା ବେଳେ ହିରୋ ବିକ୍ରି ୨୦% କମିଛି। ଟ୍ରକ ନିର୍ମାତା ଅଶୋକ ଲେଲାଣ୍ଡ ଟ୍ରକ୍ ବିକ୍ରି ୭୦ ଭାଗ କମିଥିବା ବେଳେ ମହିନ୍ଦ୍ରା ୬୯ ଭାଗ ଏବଂ ଟାଟା ୫୮ ଭାଗ ବିକ୍ରି ହ୍ରାସ କରିଛି।

୫ ଟଙ୍କିଆ ବିସ୍କୁଟ ବି କିଣୁ ନାହାନ୍ତି

ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ରୂପ କେତେ ଭୟଙ୍କର ହୋଇପାରେ ତାହା ବିସ୍କୁଟ ବିକ୍ରି କରୁଥିବା କଂପାନିଗୁଡ଼ିକର ସ୍ଥିତିରୁ ବୁଝା‌ପଡ଼ୁଛି। ଦେଶର ସବୁଠୁ ବଡ଼ ବିସ୍କୁଟ କଂପାନି ପାର୍ଲେର ବିକ୍ରି ବହୁତ କମିଯାଇଛି। ଲୋକପ୍ରିୟ ବିସ୍କୁଟ ପାର୍ଲେ-ଜି କିଣିବା ପାଇଁ ଲୋକମାନେ ଦୁଇ ଥର ଭାବୁଛନ୍ତି। ପାଞ୍ଚ ଟଙ୍କିଆ ବିସ୍କୁଟ କିଣିବା ଲାଗି ଲୋକଙ୍କ ପକେଟ୍‌ରୁ ଟଙ୍କା ବାହାରୁ ନାହିଁ। ଅନ୍ୟତମ ବିସ୍କୁଟ୍ ନିର୍ମାତା ବ୍ରିଟାନିଆ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏଭଳି ମାନ୍ଦାବସ୍ଥା ଆମେ କେବେ ଦେଖିନଥିଲୁ। ଲୋକମାନେ ଏବେ ପାଞ୍ଚ ଟଙ୍କାର ବିସ୍କୁଟ କିଣିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର