ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍ଙ୍କ ଅଭିଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ର ନେତାମାନେ ଆଜି ବିଜେପି କାର୍ଯ୍ୟାଳୟକୁ ପଦଯାତ୍ରା କରିବେ। ଦିଲ୍ଲୀ ପୁଲିସ କହିଛି ଯେ ଆପ୍ ଏହି ବଡ଼ ଧରଣର ପଦଯାତ୍ରା ପାଇଁ କୌଣସି ଅନୁମତି ମାଗିନାହିଁ। ଏନେଇ ବିଜେପି କାର୍ଯ୍ୟାଳୟ ଅବସ୍ଥିତ ଥିବା ଡିଡିୟୁ ମାର୍ଗରେ ଧାରା ୧୪୪ ଲାଗୁ କରାଯାଇଛି।
ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଦିଲ୍ଲୀ ପୁଲିସ୍, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ ସିଆର୍ପିଏଫ୍ର କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ମେ ୧୩ ତାରିଖରେ ସ୍ବାତୀ ମାଲିୱାଲ୍ଙ୍କୁ ଆକ୍ରମଣ ମାମଲାରେ ଶନିବାର ଗିରଫ ହୋଇଥିବା କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ସିନ୍ ରିକ୍ରିଏସନ୍ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନିଆଯିବାର ସମ୍ଭାବନା ରହିଛି।
ଶନିବାର ରାତିରେ ତିସ ହଜାରି କୋର୍ଟ ବିଭବ କୁମାରଙ୍କୁ ପାଞ୍ଚ ଦିନିଆ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ପୁଲିସ ତାଙ୍କୁ ଆକ୍ରମଣ ଘଟଣାରେ ପଚରାଉଚରା କରିବ ଏବଂ ତାଙ୍କ ଫୋନରୁ ତଥ୍ୟ ଉଦ୍ଧାର କରିବାକୁ ଚେଷ୍ଟା କରିବ। ଗତକାଲି ପୁଲିସ ଟିମ୍ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଗିରଫ କରିଛି।
ଏପଟେ ବିଭବ କୁମାର ଗିରଫ ହୋଇଥିବା ବେଳେ ସେପଟେ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ବାହାରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଥିରେ ସେ ରବିବାର ଦିନ ବିଜେପି କାର୍ଯ୍ୟାଳୟକୁ ଯିବେ ବୋଲି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitled-96.jpg)