ନୂଆଦିଲ୍ଲୀ: ନିଜ ବନ୍ଧୁଙ୍କ ୧୪ ବର୍ଷୀୟ ଝିଅ ସହିତ କିଛି ମାସ ଧରି ଦୁଷ୍କର୍ମ କରିଥିବା ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଫିସର୍‌ଙ୍କୁ ନିଲମ୍ବନ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଦେଶ ଦେଇଛନ୍ତି।

Advertisment

ଏ ସଂକ୍ରାନ୍ତରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

‘ଆପ୍‌’ ନେତା ସୌରଭ ଭରଦ୍ବାଜ କହିଛନ୍ତି, ସରକାରୀ ଅଧିକାରୀଜଣକ ଜଘନ୍ୟ କାଣ୍ଡ କରିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି। ଏଭଳି ଅପକର୍ମ ସମାଜକୁ ବିପର୍ଯ୍ୟସ୍ତ କରିଛି। ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କିନ୍ତୁ, ଏବେ ମୁଖ୍ୟମନ୍ତ୍ରୀ ଉକ୍ତ ଅଫିସର୍‌ଙ୍କୁ ନିଲମ୍ବନ କରିବା ଲାଗି ଆଦେଶ ଦେଇଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମଗାଯାଇଛି। ଉକ୍ତ ଅଧିକାରୀଙ୍କୁ ଦିଲ୍ଲୀ ପୁଲିସ ଗିରଫ ନ କରିପାରିବା ପରିତାପର କଥା। ସମସ୍ତଙ୍କର ଝିଅ ଅଛନ୍ତି, ଏହା ବଡ଼ ଲଜ୍ଜାଜନକ ବ୍ୟାପାର। ଆଇନ ଅନୁସାରେ ସମ୍ପୃକ୍ତ ଅଫିସର୍‌ଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।

publive-image Image Courtesy of India Today

ସୂଚନାଯୋଗ୍ୟ, ଅନେକ ମାସ ହେବ ଜଣେ ବନ୍ଧୁଙ୍କ ୧୪ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶିଶୁ ଯୌନ-ଉତ୍ପୀଡ଼ନ ମାମଲାର ସମ୍ମୁଖୀନ ହୋଇଥିବା କଥା ପୁଲିସ ରବିବାର ଦିନ ସୂଚନା ଦେଇଥିଲା।

ସଂଗୃହୀତ ସୂଚନା ଅନୁସାରେ, ଝିଅଟି ଦ୍ବାଦଶ ଶ୍ରେଣୀରେ ପଢ଼େ। ୨୦୨୦ରେ ତା’ ବାପାଙ୍କର ଦେହାନ୍ତ ହୋଇଯିବାରୁ ମହିଳା ଓ ଶିଶୁବିକାଶ ବିଭାଗର ଉପନିର୍ଦେଶକ  ପ୍ରେମୋଦୟ ଖାଖା ତାକୁ ଆଣି ନିଜ ଘରେ ଆଶ୍ରୟ ଦେଇଥିଲେ।

ଥାନାରେ କରିଥିବା ଅଭିଯୋଗରେ ସେ ଉଲ୍ଳେଖ କରିଛି, ୨୦୨୦ରୁ ୨୦୨୧ ମଧ୍ୟରେ ସରକାରୀ ଅଧିକାରୀଜଣକ ତା’ ସହିତ ବହୁବାର ଦୁଷ୍କର୍ମ କରିଥିଲେ। ସେ ଅନ୍ତଃସତ୍ତ୍ବା ହେବା ପରେ ଅଭିଯୁକ୍ତ ଏକଥା ତାଙ୍କ ସ୍ତ୍ରୀଙ୍କୁ କହିଲେ। ତାଙ୍କ ସ୍ତ୍ରୀ ପୁଅ ହାତରେ ଔଷଧ ମଗାଇ ଘରେ ତା’ର ଗର୍ଭପାତ କରାଇଲେ।

ଶିଶୁ ଯୌନ-ଉତ୍ପୀଡ଼ନ ପ୍ରତିରୋଧ କରିବା ଲାଗି ‘ଆଇପିସି’ ବିଭିନ୍ନ ଧାରା ଓ କଠୋର ‘ପୋକ୍‌ସୋ’ ଆଇନ ଅନୁସାରେ, ଦିଲ୍ଲୀ ପୁଲିସ ଉକ୍ତ ବରିଷ୍ଠ ସରକାରୀ ଅଧିକାରୀଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରିଛନ୍ତି। ଏହି ଅପକର୍ମରେ ତାଙ୍କୁ ସହଯୋଗ କରିଥିବାରୁ ତାଙ୍କ ସ୍ତ୍ରୀ’ଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି।