ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ହାଇକୋର୍ଟରେ ଏକ ପିଟିସନ ଦାଖଲ କରି କେଜ୍ରିୱାଲ ଅନ୍ତରୀଣ ଜାମିନ ମାଗି  ତାଙ୍କ ବିରୋଧରେ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଚାଲିଥିବା ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏଥିସହିତ ତାଙ୍କୁ ଗିରଫ କରିବା ନେଇ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟକୁ ଅଟକା ଯାଉ ବୋଲି କ୍ରେଜିୱାଲ କୋର୍ଟରେ ପହଞ୍ଚି ଗୁହାରି କରିଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଆଜି ୯ମ ଥର ସମନ ପଠାଇ ହାଜର ହେବାକୁ କହିଛି। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ହାଇକୋର୍ଟରେ ଇଡିର ସମନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ ରେ ହେବ।

ବୁଧବାର ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପଚାରିଥିଲେ କି, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାକୁ ନେଇ କରାଯାଉଥିବା ଯାଞ୍ଚରେ ସେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ ସାମ୍ନାରେ କାହିଁକି ହାଜର ନେଉ ନାହାନ୍ତି?

ଏହାର ଉତ୍ତର ଦେଇ କେଜ୍‌ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି କହିଛନ୍ତି, ‘କେଜ୍ରିୱାଲଙ୍କ ଇଡିରେ ହାଜର ହେବାରେ କୌଣସି ଅସୁବିଧା ନାହିଁ କିନ୍ତୁ ହାଜର ହେବା ପୂର୍ବରୁ ଗିରଫଦାରୀ ହେବ ନାହିଁ ବୋଲି ନିଶ୍ଚିତ କରିବାକୁ ହେବ।’