ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଗତ ରବିବାର ଗ୍ରେଟର କୈଳାଶର ମାଲବୀୟ ନଗର ଅଞ୍ଚଳରେ ଜଣେ ଯୁବକ ପାଣି ଫିଙ୍ଗିଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ପୁଲିସ ଗିରଫ କରି ‌ନେଇଛି। ଗିରଫ ଯୁବକଙ୍କ ନାମ ଅଶୋକ ଝା ଥିବା ଜଣାପଡ଼ିଛି। 

Advertisment

ଗ୍ରେଟର କୈଳାଶ ଅଞ୍ଚଳରେ କେଜ୍ରିୱାଲ ନିଜ ସମର୍ଥକଙ୍କ ଗହଣରେ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି। ଏହାପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ପାଣି ଫିଙ୍ଗିଥିବା ଯୁବକକୁ ସୁରକ୍ଷାକର୍ମୀ ଧରିପକାଇଥିଲେ। ତେବେ ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ ଦାୟୀ କରିଛି।

ପୁଲିସ କହିବା ଅନୁଯାୟୀ, କେଜ୍ରିୱାଲ ତାଙ୍କ ସମର୍ଥକଙ୍କ ସହ ଗ୍ରେଟର କୈଳାଶର ମାଲବୀୟ ନଗର ଅଞ୍ଚଳରେ ବୁଲୁଥିବା ସମୟରେ ଅଶୋକ ଝା ହାତରେ ଧରିଥିବା ପାଣିଗ୍ଲାସକୁ କେଜ୍ରିୱାଲଙ୍କ ଉପରକୁ ଫିଙ୍ଗି ଥିଲେ। ଏହି ପାଣି କେଜ୍ରିୱାଲଙ୍କ ସମେତ ତାଙ୍କ ସହ ଉପସ୍ଥିତ ଅନ୍ୟ ନେତା ତଥା ସୁରକ୍ଷାକର୍ମୀଙ୍କ ଉପରେ ପଡ଼ିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଶୋକ ଝ‌ାଙ୍କୁ ପୁଲିସ ସଙ୍ଗେସଙ୍ଗେ ଗିରଫ କରି ନେଇଥିଲା।

ଏହି ଘଟଣାକୁ ନେଇ ଅଭିଯୁକ୍ତ ଅଶୋକଙ୍କ ଭାଇ ଲାଲଜି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଅଶୋକଙ୍କ ପରିବାର ବିହାରର ବାସିନ୍ଦା ଥିବା ବେଳେ ସେଗତ ୩୦ବର୍ଷ ହେବ ଲାଲ ଗୁନବଦ ବସ୍ତିରେ ସ୍ତ୍ରୀ ଓ ତିନିଜଣ ସନ୍ତାନଙ୍କ ସହ ବସବାସ କରୁଛନ୍ତି। ଭାଇ ଅଶୋକଙ୍କୁ ଗତ ୫ରୁ ୬ମାସ ହେବ ପାରିଶ୍ରମିକ ମିଳି ନାହିଁ।

ଏଥିପାଇଁ ତାଙ୍କୁ ଘର ଚଳାଇବାରେ ଅନେକ କଷ୍ଟ ହେଉଛି। ଯାହାକୁ ନେଇ ସେ ମାନସିକ ଚାପରେ ଅଛନ୍ତି। ମାନସିକ ଚାପରେ ଥିବାରୁ ଏମିତି ଏକ ଘଟଣା ଘଟାଇ ଦେଇଛନ୍ତି। ଏଥିରେ ତାଙ୍କର ଭୁଲ ନାହଁ। କାରଣ ଅଶୋକ ଜଣେ ଦୟାଳୁ ମଣିଷ। ସେ କାହାରି ଅସୁବିଧା ଦେଖି ପାରନ୍ତି ନାହିଁ। କୌଣସି ନିଶା ବି ଅଶୋକ ସେବନ କରନ୍ତି ନାହିଁ। ତେଣୁ ସେ କରିଥିବା ଭୁଲ ପାଇଁ ମୁଁ ହାତଯୋଡ଼ି କ୍ଷମା ମାଗୁଛି। ତାଙ୍କୁ ଜେଲରୁ ବାହାର କରି ଦିଆଯାଉ’