ନୂଆଦିଲ୍ଲୀ : ପ୍ରାୟ ୬ ଘଣ୍ଟା ଅପେକ୍ଷା କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମି ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ କେଜରିଓ୍ଵାଲ ଶେଷରେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ସେ ଆପ ତରଫରୁ ନୂଆଦିଲ୍ଲୀ ବିଧାନସଭା ମଣ୍ଡଳିରେ ନିର୍ବାଚନ ଲଢୁଛନ୍ତି ।
ଆଜି ଥିଲା ମନୋନୟନ ପତ୍ର ଦାଖଲ ଶେଷ ତାରିଖ । ଏଥିପାଇଁ ଆଜି ପ୍ରବଳ ଭିଡ଼ ଥିଲା । ମନୋନୟନ ପତ୍ର ଦାଖଲ ପାଇଁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ କେଜ୍ରିଓ୍ୱାଲଙ୍କ କ୍ରମିକ ନମ୍ବର ଥିଲା ୪୫ । ପ୍ରାୟ ୪୫ ଜଣଙ୍କ ପରେ ସଂଧ୍ୟା ସାଢେ ୬ଟା ବେଳେ କେଜ୍ରିଓ୍ୱାଲଙ୍କ ପାଳି ପଡ଼ିଥିଲା ବୋଲି ଆପ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ।
ତେବେ କେଜ୍ରିଓ୍ୱାଲଙ୍କ ପୂର୍ବରୁ ମନୋନୟନ ପତ୍ର ଦାଖଲ କରିବାକୁ ଅପେକ୍ଷା କରିଥିବା ଅଧିକାଂଶ ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଥିଲେ ଓ ସେମାନ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଦିଲ୍ଲୀ ପରିବହନ ନିଗମରୁ ବାହାର କରାଯାଇଥିବା କର୍ମଚାରୀ ଥିଲେ । ଏତେ ସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀ ଥିବା ଯୋଗୁଁ କେଜ୍ରିଓ୍ୱାଲଙ୍କ ପାଳି ୪୫ ନମ୍ବରରେ ପଡ଼ିଥିଲା । ତେବେ ତାଙ୍କୁ ମନୋନୟନ ପତ୍ର ଦାଖଲ କରାନଦେବାକୁ ବିଜେପିର ଏହା ଏକ ଚାଲ ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି ।
ଆପ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ପ୍ରାୟ ୩୫ ଜଣ ପ୍ରାର୍ଥୀଙ୍କ ପାଖର ଉପଯୁକ୍ତ କାଗଜପତ୍ର ନଥିଲା । ତଥାପି ସେମାନେ ମନୋନୟନ ପତ୍ର ଦାଖଲ କରିବାକୁ ଆସିଥିଲେ ।