ଦିଲ୍ଲୀ ଦଙ୍ଗାରେ ହତ୍ୟା କରାଯାଇଥିବା ଆଇବି କର୍ମଚାରୀ ଅଙ୍କିତଙ୍କ ସାନ ଭାଇକୁ ଚାକିରି ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ୨୦୨୦ ମସିହାରେ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିଲା ସାମ୍ପ୍ରଦାୟିକ ଦଙ୍ଗା। ଏହି ଦଙ୍ଗାରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ଏହି ଦଙ୍ଗା ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦିଲ୍ଲୀ ସରକାର ଏବେ ତାଙ୍କ ଭାଇ ଅଙ୍କୁର ଶର୍ମାଙ୍କୁ ଶିକ୍ଷା ବିଭାଗରେ ଏକ ସରକାରୀ ଚାକିରି ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ପରିବାରକୁ ସରକାରୀ ଚାକିରି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗତ ବର୍ଷ ମଧ୍ୟ ଅଙ୍କିତ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କାର ଚେକ୍ ଦେଇଥିଲେ। ‌ଏବେ ଦିଲ୍ଲୀ ସରକାର ତାଙ୍କ ଭାଇ ଅଙ୍କୁର ଶର୍ମାଙ୍କୁ ଶିକ୍ଷା ବିଭାଗରେ ସରକାରୀ ଚାକିରି ଦେଇଥିବା ନେଇ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୁଅର ଅଭାବ କେବେ ପୂରଣ ହୋଇପାରିବ ନାହିଁ, କିନ୍ତୁ ଚାକିରି ଏବଂ ୧କୋଟି ଟଙ୍କା ସାହାଯ୍ୟ ପାଇ ପରିବାରକୁ ଶକ୍ତି ମିଳିବ। ଭବିଷ୍ୟତରେ ମଧ୍ୟ ପରିବାରକୁ ସାହାଯ୍ୟ କରିବୁ।

oneindia.com

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୦୨୦ରେ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ଦଙ୍ଗା ସମୟରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋରେ କାମ କରୁଥିବା ଅଙ୍କିତ ଶର୍ମା ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାଟରେ କିଛି ଲୋକ ଚାନ୍ଦ ବାଗ୍‌ ବ୍ରିଜ୍‌ ନିକଟରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ଏବଂ ପରେ ତାଙ୍କ ମୃତଦେହକୁ ଡ୍ରେନ୍‌ ମଧ୍ୟକୁ ଫୋପାଡ଼ି ଦିଆଯାଇ। ଦିଲ୍ଲୀ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ତାଙ୍କ ନିର୍ମମ ଭାବେ ହତ୍ୟା କରାଯାଇଥିବା ବିଷୟରେ କୁହାଯାଇଥିଲା। ଏହି ମାମଲାରେ ଆମ୍ ଆଦମୀ ପାର୍ଟିର ତାହିର ହୁସେନଙ୍କ ସମେତ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଦଙ୍ଗାରେ ଅତି କମରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର