ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଭାରିଆଣ୍ଟ ସହ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। କୌଣସି ପରିସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ଅଛନ୍ତି। ଏପର୍ଯ୍ୟନ୍ତ ଦିଲ୍ଲୀରେ ବିଏଫ୍୭ ଭାରିଆଣ୍ଟର ଦ୍ବାରା କେହି ସଂକ୍ରମିତ ହୋଇନାହାନ୍ତି। କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ, କରୋନା ପରୀକ୍ଷା ପାଇଁ ଆସୁଥିବା ସମସ୍ତ ନମୁନାର ଜିନୋମ ସିକ୍ୟୁଏନ୍ସିଂ ହେବ।

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି କରୋନା ସଂକ୍ରମଣ ବଢ଼େ, ତେବେ ଆମେ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦିଲ୍ଲୀରେ ପ୍ରତିଦିନ ୨୫୦୦କରୋନା ପରୀକ୍ଷା କରାଯାଉଛି। ଯଦି ଆବଶ୍ୟକତା ପଡେ, ତେବେ ଆମ ପାଖରେ ଦୈନିକ ୧ଲକ୍ଷ ପରୀକ୍ଷା କରିବାର କ୍ଷମତା ଅଛି। କରୋନା ରୋଗୀଙ୍କ ପାଇଁ ୮ହଜାର କୋଭିଡ୍ ବେଡ୍ ସଂରକ୍ଷିତ ହୋଇ ରହିଛି। ଏହା ବ୍ୟତୀତ ୩୬ହଜାର କୋଭିଡ୍ ବେଡ୍ ସଂରକ୍ଷଣ କରିବାକୁ ପ୍ରସ୍ତୁତି ଚାଲିଛି। ଗତ କୋଭିଡ ଲହରୀ ସମୟରେ ପ୍ରାୟ ୨୫ହଜାର ରୋଗୀ ଭର୍ତ୍ତି ହୋଇଥିଲେ। ଯଦିଓ ଗତ ଥର ଅମ୍ଳଜାନ ଯୋଗାଣରେ ସମସ୍ୟା ଦେଖାଦେଇଥିଲା।

ତେଣୁ ଆମେ ୯୨୮ଏମଟି ଅମ୍ଳଜାନ ଗଚ୍ଛିତ କରିଛୁ। ଗତ ଥର ଅମ୍ଳଜାନ ସିଲିଣ୍ଡରର  ସମସ୍ୟା ଦେଖାଯାଇଥିବାରୁ ଏଥର ୬୦୦୦ସିଲିଣ୍ଡର ପ୍ରସ୍ତୁତ ଅଛି। ଗତଥର ଆମ ପାଖରେ କୌଣସି ଟ୍ୟାଙ୍କର୍ ନଥିଲା, ବର୍ତ୍ତମାନ ୧୫ଟି ଅମ୍ଳଜାନ ଟ୍ୟାଙ୍କର୍ ପ୍ରସ୍ତୁତ ଅଛି। ଦିଲ୍ଲୀର ସମସ୍ତଙ୍କୁ ଉଭୟ ଡୋଜରେ ଟିକା ଦିଆଯାଇଛି। ଏଥର ଆମର ୩୮୦ ଆମ୍ବୁଲାନ୍ସ ପ୍ରସ୍ତୁତ ଥିବା ସହ ଆମେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀକୁ ଅପେକ୍ଷା କରିଛୁ।