ନୂଆଦିଲ୍ଲୀ: ଭାଗ୍ୟ ପରୀକ୍ଷା ଆଗରୁ ପ୍ରଭୁଙ୍କୁ ପୂଜାକଲେ କେଜ୍ରିୱାଲ୍ । ଭୋଟ୍ ପୂର୍ବରୁ ଭଗବାନଙ୍କ ଶରଣ ପଶିଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ । ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍ । ଜନତା ଜନାର୍ଦ୍ଦନ ବାଛିବେ ନେତା । ନିଜ ବହୁମୂଲ୍ୟ ମତଦାନ ଜରିଆରେ ପସନ୍ଦର ନେତା ବାଛିବାକୁ କାଲି ରାୟ ଦେବେ ଦିଲ୍ଲୀବାସୀ । ଆଉ ଏହି ମତଦାନ ପୂର୍ବରୁ ମହାବୀରଙ୍କ ଶରଣରେ ପଶିଛନ୍ତି କେଜ୍ରିୱାଲ୍ । ନିଜ ପରିବାର ସହ ଦିଲ୍ଲୀ ପ୍ରାଚୀନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଅରବିନ୍ଦ ।
ତେବେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଥିବା କେଜ୍ରିୱାଲ୍ ନିଜେ ନୂଆଦିଲ୍ଲୀ ଆସନରୁ ଲଢୁଛନ୍ତି । ପୂରା ଦିଲ୍ଲୀ ବିଧାନସଭା ସହ ନିଜ ଆସନରେ ବି ସେ ବିପୁଳ ବିଜୟୀ ପାଇଁ ଆଶା ରଖିଛନ୍ତି । କେଜ୍ରିୱାଲଙ୍କ ବିପକ୍ଷରେ ବିଜେପିର ପ୍ରାର୍ଥୀ ପର୍ଭେଶ ବର୍ମା ଏବଂ କଂଗ୍ରେସର ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ଛିଡା ହୋଇଛନ୍ତି ।
ଆପ୍ ସରକାରରେ ଥିଲେ ବି ବିଜେପିର ପ୍ରସ୍ତୁତି ଏବଂ ଆତ୍ମବିଶ୍ବାସ ସହ ବିଶାଳ ରୋଡ୍ ସୋ ଏବଂ ଜନସଭା ଦେଖି ଲାଗୁଛି ଆପ୍ ସହ ଏଥର ବିଜେପି ହିଁ ଟକ୍କର ଦେବ । ହୁଏତ ସତ୍ତା ବି ବଦଳିପାରେ କାରଣ ରାଜନୀତିରେ କିଛି ବି ହୋଇପାରେ । ସବୁ ଜନତାଙ୍କ ଉପରେ ନିର୍ଭର । ଜନତା ଯାହାକୁ ଆଶୀର୍ବାଦ କରିବେ ସିଏ ହିଁ ଗଢିବ ସରକାର । ତେଣୁ ମନରେ ଯେତେ ଆତ୍ମବିଶ୍ବାସ ଥିଲେ ବି କେଉଁଠି ନା କେଉଁଠି ଭୟ ରହିଛି । ସେଥିପାଇଁ ସଙ୍କଟ ଟାଳିଦେବାକୁ ସଙ୍କଟମୋଚକଙ୍କ ଶରଣ ପଶିଛନ୍ତି କେଜ୍ରିୱାଲ୍ ।
ଦିଲ୍ଲୀ ପୁନଃଶ୍ଚ ଦଖଲ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ । ଗତକାଲି ଏକ ଜନସଭାରେ କେଜ୍ରିଓ୍ୱାଲ କହିଥିଲେ, ତାଙ୍କ ଦଳ ଏଥର ଦିଲ୍ଲୀରେ ୫୫ରୁ ଅଧିକ ସିଟ୍ ଜିତିବ, ଯାହାକୁ ଏନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଦିଲ୍ଲୀରେ ସରକାର ବିରୋଧୀ ହାଓ୍ୱାକୁ ପଢିପାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ଯେଉଁ କାରଣରୁ ଏଥର ନିର୍ବାଚନରେ ତାଙ୍କର ସିଟ୍ ସଂଖ୍ୟା ପୂର୍ବ ନିର୍ବାଚନ ଅପେକ୍ଷା କମିବ ବୋଲି ସେ ଖୁଲମ୍ ଖୁଲା କହୁଛନ୍ତି । ଗତ ଦୁଇଟି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନ ଜିତି ସରକାର ଗଢିଥିଲେ ବି, ଏଥର ଏହି ସଂଖ୍ୟା ୫୫ରେ ରହିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।